ନୂଆଦିଲ୍ଲୀ, ଅଗଷ୍ଟ ୦୪ (ଖବର ଓଡ଼ିଶା): ଚୀନ ସୀମାରେ ଉତ୍ତେଜନା ଦେଖାଯାଇଥିବା ବେଳେ ଭାରତ ଓ ଆମେରିକାର ସେନା ଆସନ୍ତା ଅକ୍ଟୋବର ମାସରେ ଉତ୍ତରାଖଣ୍ଡର ଔଲିରେ ଯୁଦ୍ଧାଭ୍ୟାସ କରିବେ । ଭାରତ ଓ ଆମେରିକାର ସେନା ମଧ୍ୟରେ ମିଲିଟାରି ଅଭ୍ୟାସର ଏହା ହେବ ୧୮ତମ ସଂସ୍କରଣ । ଏହି ଯୁଦ୍ଧାଭ୍ୟାସ ଏକ ବର୍ଷ ଆମେରିକା ଓ ପରବର୍ତ୍ତୀ ବର୍ଷ ଭାରତରେ ହେଉଛି । ଗତବର୍ଷ ଯୁଦ୍ଧାଭ୍ୟାସ ଆମେରିକାର ଅଲାସ୍କାରେ କରାଯାଇଥିଲା । ଏଥି ପାଇଁ ଚଳିତ ବର୍ଷ ଭାରତରେ ହେଉଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟ ଭାରତ ଓ ଆମେରିକୀୟ ସେନା ଦ୍ୱାରା ଏହି ଯୁଦ୍ଧାଭ୍ୟାସ ଅକ୍ଟୋବର ୧୪ରୁ ୩୧ ଯାଏଁ ଚାଲିବ । ସୂତ୍ର ଅନୁସାରେ ଯୁଦ୍ଧାଭ୍ୟାସର ଉଦ୍ଦେଶ୍ୟ ହେଲା ଭାରତ ଓ ଆମେରିକାର ସେନା ମଧ୍ୟରେ ବୁଝାମଣା, ସହଯୋଗ କରିବା । ଭାରତ-ଆମେରିକା ପ୍ରତିରକ୍ଷା ସଂପର୍କକୁ ମଜବୁତ କରିବା । ୨୦୧୬ ଜୁନରେ ଆମେରିକା, ଭାରତକୁ ପ୍ରମୁଖ ପ୍ରତିରକ୍ଷା ଭାଗିଦାରୀ ବୋଲି କହିଥିଲା । ସେହିପରି ଉଭୟ ଦେଶ ମଧ୍ୟରେ କିଛି ବର୍ଷ ହେଲା ପ୍ରତିରକ୍ଷା ବୁଝାମଣା ହୋଇଛି ।