ନୂଆଦିଲ୍ଲୀ: ଏମଏସ ଧୋନୀ ଗତ କିଛି ଦିନ ଧରି ନିଜର ବ୍ୟାଟିଂ କ୍ରମକୁ ନେଇ ଖୁବ୍ ଟ୍ରୋଲର ଶିକାର ହେଉଛନ୍ତି । ଆରସିବି ବିପକ୍ଷ ମ୍ୟାଚରେ ନଅ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ଆଉ ଏହା ହିଁ ଚେନ୍ନାଇ ପରାଜୟର ସବୁଠୁ ବଡ କାରଣ ପାଲଟିଥିଲା । ସେହିପରି ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଧୋନୀ ସାତ ନମ୍ବରରେ ବ୍ୟାଟିଂ କରିଥିଲେ । ହେଲେ ଦଳକୁ ୬ ରନର ପରାଜୟରୁ ବଞ୍ଚାଇ ପାରି ନ ଥିଲେ । ଧୋନୀ ଗତ ସିଜିନରେ ମଧ୍ୟ ନିରନ୍ତର ନମ୍ବର ୭-୮ରେ ବ୍ୟାଟିଂ କରିଥିଲେ । ତାଙ୍କ ବ୍ୟାଟିଂ କ୍ରମକୁ ନେଇ ହେଉଥିବା ଚର୍ଚ୍ଚା ମଧ୍ୟରେ ସିଏସକେର ହେଡ୍ କୋଚ୍ ଷ୍ଟିଫେନ ଫ୍ଲେମିଙ୍ଗ ବଡ ବୟାନ ଦେଇଛନ୍ତି ।
ଫ୍ଲେମିଙ୍ଗ ଗଣମାଧ୍ୟମ ସହ ଆଲୋଚନା ବେଳେ ରାଜସ୍ଥାନ ବିପକ୍ଷ ପରାଜୟ ଉପରେ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ଧୋନୀଙ୍କ ଆଣ୍ଠୁ ହିଁ ସବୁ ପ୍ରଶ୍ନର ଉତ୍ତର ଦେଉଛି । ଧୋନୀଙ୍କ ପକ୍ଷେ ସର୍ବଦା ୧୦ ଓଭର ବ୍ୟାଟିଂ କରିବା ସମ୍ଭବ ନୁହେଁ । ଏହି କାରଣରୁ ହିଁ ସେ ନିମ୍ନ କ୍ରମରେ ବ୍ୟାଟିଂ କରୁଛନ୍ତି ।
ଫ୍ଲେମିଙ୍ଗ କହିଛନ୍ତି, ଧୋନୀ ନିଜେ ହିଁ ନିଜ ବ୍ୟାଟିଂ କ୍ରମ ଉପରେ ନିଷ୍ପତ୍ତି ନେଇଥାନ୍ତି । ତାଙ୍କ ଶରୀର ଓ ଆଣ୍ଠୁ ସେତେ ସୁସ୍ଥ ନୁହେଁ ଯେତିକି ପୂର୍ବରୁ ଥିଲା । ସେ ଠିକରେ ଚାଲି ପାରୁଥିଲେ ହେଁ ପୂରା ୧୦ ଓଭର ବ୍ୟାଟିଂ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ଏଥିପାଇଁ ଧୋନୀ ପରିସ୍ଥିତି ଅନୁସାରେ ଆକଳନ କରିଥାନ୍ତି ଯେ, ସେ ଦଳ ପାଇଁ କଣ କରି ପାରିବେ । ରାଜସ୍ଥାନ ବିପକ୍ଷ ମ୍ୟାଚରେ ସେ ଉପରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଅନ୍ୟ ବ୍ୟାଟରଙ୍କୁ ମଧ୍ୟ ସୁଯୋଗ ଦେଲେ ।
ଏମଏସ ଧୋନୀଙ୍କୁ ୪୩ ବର୍ଷ ବୟସ ହେଲାଣି । ସେ ବହୁତ କମ ବଲ୍ ବ୍ୟାଟିଂ କରୁଛନ୍ତି । ଧୋନୀ କଣ ସିଏସକେ ପାଇଁ ବୋଝ ହୋଇଗଲେଣି ପ୍ରଶ୍ନ ଉପରେ ଫ୍ଲେମିଙ୍ଗ କହିଛନ୍ତି, ମୁଁ ଗତ ବର୍ଷ ମଧ୍ୟ କହିଥିଲି ଯେ, ଆମ ପାଇଁ ଧୋନୀଙ୍କ ଗୁରୁତ୍ୱ ବହୁତ ଅଧିକ ରହିଛି । ସେ ଜଣେ ଲିଡର ଓ ୱିକେଟ୍ କିପିଂ ଦୃଷ୍ଟିରୁ ତାଙ୍କ ଭୂମିକା ମହତ୍ୱପୂର୍ଣ୍ଣ ରହିଛି ।