ମୁୁମ୍ବାଇ: ସୋମବାର ଆଇପିଏଲ ୨୦୨୫ର ୧୨ତମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ । ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ସିଜିନରେ ପ୍ରଥମ ବିଜୟ ଅପେକ୍ଷାରେ ରହିଛି । ଦଳ ନିଜର ପ୍ରଥମ ଦୁଇଟି ମ୍ୟାଚ୍ ହାରି ସାରିଛି । ଅନ୍ୟପଟେ କେକେଆର ପ୍ରଥମ ମ୍ୟାଚ୍ ହାରିବା ପରେ ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରିଛି ।
ଆଜିର ମ୍ୟାଚରେ ମୁମ୍ବାଇ ସାମ୍ନାରେ କୋଲକାତା ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବ । ମୁମ୍ବାଇ ପାଇଁ କେବଳ ଗୋଟିଏ ଫାଇଦା ଏହା ଯେ, ଦଳ ନିଜର ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବ । ନଚେତ୍ ଦୁଇ ଦଳର ପ୍ରଦର୍ଶନକୁ ଦେଖିଲେ କୋଲକାତାର ପଲ୍ଲା କିଛିଟା ଭାରି ରହିବ । ମୁମ୍ବାଇ ତାରକା କ୍ରିକେଟରେ ଖଚିତ ଥିଲେ ହେଁ ପ୍ରଦର୍ଶନ ଅତ୍ୟନ୍ତ ନିମ୍ନମାନର ରହିଛି । କିନ୍ତୁ ରେକର୍ଡକୁ ଦେଖିଲେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସର ପଲ୍ଲା ଭାରି ରହିଛି । ଦୁଇ ଦଳ ମଧ୍ୟରେ ଅଦ୍ୟାବଧି ୩୪ଟି ମ୍ୟାଚ୍ ଖେଳା ଯାଇଛି । ଏଥିରୁ ମୁମ୍ବାଇ ୨୩ଟି ଜିତିଥିବା ବେଳେ କୋଲକାତା ମାତ୍ର ୧୧ଟି ଜିତିବାରେ ସକ୍ଷମ ହୋଇଛି ।
କିନ୍ତୁ ଦୁଇ ଦଳ ମଧ୍ୟରେ ଖେଳା ଯାଇଥିବା ଗତ ୫ଟି ମ୍ୟାଚ୍ ଉପରେ ନଜର ପକାଇଲେ କୋଲକାତ।।ର ଦବଦବା ସ୍ପଷ୍ଟ ନଜର ଆସୁଛି । ଗତ ୫ଟି ମ୍ୟାଚରେ କୋଲକାତା ମୁମ୍ବାଇକୁ ୪ ଥର ହରାଇଛି । କିନ୍ତୁ ମୋଟାମୋଟି ରେକର୍ଡ ମୁମ୍ବାଇ ସପକ୍ଷରେ ରହିଛି । କିନ୍ତୁ ବର୍ତ୍ତମାନର ପ୍ରଦର୍ଶନ କୋଲକାତା ସପକ୍ଷରେ ରହିଛି । ତେବେ ଦେଖିବାକୁ ବାକି ରହିଲା ଆଜିର ମ୍ୟାଚରେ କିଏ କାହା ଉପରେ ଭାରି ପଡୁଛି ? ମୁମ୍ବାଇ ନିଜର ପ୍ରଥମ ବିଜୟର ସ୍ୱାଦ ଚାଖି ପାରୁଛି ନା କୋଲକାତା ନିଜର ଦବଦବା ବଜାୟ ରଖିବାରେ ସଫଳ ହେଉଛି ?