ବିହାର ରାଜଧାନୀ ପାଟନାରେ ରାଜରାସ୍ତାରେ ଜେଡିୟୁ ନେତାଙ୍କୁ ଗୁଳିକରି ହତ୍ୟା। ମୃତ ଜେଡିୟୁ ନେତା ସୌରଭ କୁମାର ବୋଲି ଜଣାପଡିଛି। ଦୁଇଟି ବାଇକରେ ୪ ଜଣ ଦୁର୍ବୁତ୍ତ ଆସି ଜେଡିୟୁ ନେତାଙ୍କ ଉପରକୁ ଅତର୍କିତ ଗୁଳି ମାଡ଼ କରିଥିଲେ। ଫଳରେ ଘଟଣାସ୍ଥର ରାଜନେତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ପରେ ଘଟଣା ବାବଦରେ ଅଧିକ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ରାଜଧାନୀ ପାଟନାରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଗତକାଲି ବିଳମ୍ବିତ ରାତିରେ ଜେଡିୟୁ ନେତା ସୌରଭ କୁମାର ଓ ତାଙ୍କ ବନ୍ଧୁ ପୁନପୁନ ବଜାରରୁ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଦୁର୍ବୁତ୍ତ ଆସି ସେମାନଙ୍କ ଉପରକୁ ଅତର୍କିତ ଗୁଳି ମାଡ଼ କରିଥିଲେ। ତେବେ ସୌରଭଙ୍କ ମୁଣ୍ଡକୁ ଦୁଇ ରାଉଣ୍ଡ ଗୁଳି କରିଥିଲେ ଦୁର୍ବୃତ୍ତ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ସେପଟେ ଗୁରୁତର ଅବସ୍ଥାରେ ସୌରଭଙ୍କ ବନ୍ଧୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ରାଜନୈତିକ ଶତ୍ରୁତା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ବୁତ୍ତଙ୍କୁ ଖୋଜିବା ସହିତ ଘଟଣା ବାବଦରେ ଅଧିକ ତଦନ୍ତ କରୁଛି।