ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଓ ଯୁଦ୍ଧ ପରି ସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)କୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ବିସିସିଆଇର ବୈଠକ ପରେ ଏହି ବଡ ନିଷ୍ପତ୍ତି ନିଆଯାଇଛି । ଜମ୍ମୁ ଓ ପଠାନକୋଟରେ ଆକ୍ରମଣ ଚେତାବନୀ ପରେ ଗୁରୁବାର ଧର୍ମଶାଳାରେ ପଞ୍ଜାବ କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳା ଯାଉଥିବା ମ୍ୟାଚ୍ ବାତିଲ କରାଯାଇଥିଲା । ଏହା ପରେ ଆଇପିଏଲ୍ ଆଗକୁ ଖେଳା ଯିବ କି ନାହିଁ ଆଶଙ୍କା ଦେଖା ଦେଇଥିଲା । ଆଉ ଶୁକ୍ରବାର ଆଇପିଏଲକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ।
ବିସିସିଆଇ ଅଧିକାରୀ କହିଛନ୍ତି, ଯେତେ ବେଳେ ଦେଶରେ ଯୁଦ୍ଧ ଚାଲିଛି ସେ ସମୟରେ କ୍ରିକେଟ୍ ଖେଳାଯିବା ଉଚିତ୍ ନୁହେଁ । ବିସିସିଆଇର ଏବେ ପ୍ରଥମ ପ୍ରାଥମିକତା ବିଦେଶୀ ଖେଳାଳିଙ୍କୁ ସ୍ୱଦେଶ ପଠାଇବା ଉପରେ ରହିଛି । ଆଗାମୀ ଅଳ୍ପ ଦିନରେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ପାଇଁ ତାରିଖ ଘୋଷଣା କରାଯିବ ।ଆଇପିଏଲ୍ ୨୦୨୫ରେ ମେ ୮ତାରିଖ ପର୍ଯ୍ୟନ୍ତ ୫୮ଟି ମ୍ୟାଚ୍ ଖେଳା ଯାଇଥିଲା । ଭାରତ-ପାକିସ୍ତାନ ଉତ୍ତେଜନା କାରଣରୁ ପ୍ରଥମେ ମେ ୮ ତାରିଖରେ ଧର୍ମଶାଳାରେ ଖେଳାଯାଉଥିବା ଦିଲ୍ଲୀ ବନାମ ପଞ୍ଜାବ ମ୍ୟାଚକୁ ରଦ୍ଦ କରାଯାଇଥିଲା ।
ଯୁଦ୍ଧ ଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଆଇପିଏଲର ଚଳିତ ସଂସ୍କରଣକୁ ମେ ୯ ତାରିଖରୁ ସ୍ଥଗିତ ରଖାଯାଇଛି । ଦେଶରେ ସ୍ଥିତି ସ୍ୱାଭାବିକ ହେବା ପରେ ହିଁ ଦୁନିଆର ସବୁଠୁ ଏହି ବଡ ଟି-୨୦ ଲିଗର ଅବଶିଷ୍ଟ ମ୍ୟାଚ୍ ଖେଳାଯିବ । ଶୀଘ୍ର ତାରିଖ ଘୋଷଣା ହୋଇପାରେ । ଖାଲି ଷ୍ଟାଡିୟମରେ ମ୍ୟାଚ୍ ଆୟୋଜନର ବିକଳ୍ପ ଉପରେ ମଧ୍ୟ ବିଚାର ହୋଇପାରେ ।