କେନ୍ଦୁଝର: କେନ୍ଦୁଝର ଟାଉନ୍ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ୨ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଲୁଟ୍ ସୁନାଗହଣା ଜବତ କରିଛି ପୋଲିସ ।
ସୂଚନା ଅନୁସାରେ, ଗତ ଏପ୍ରିଲ ୨୭ ତାରିଖରେ କେନ୍ଦୁଝର ସହର ନରଣପୁରର ଦୀପକ କୁମାର ସାହୁ ରାତି ସାଢ଼େ ୯ଟା ବେଳେ ତାଙ୍କ ସୁନାଦୋକନ ବନ୍ଦ କରି ବାଇକରେ ଘରକୁ ଫେରୁଥିଲେ । ଏହି ସମୟରେ ୨ଟି ବାଇକରେ ୫ଜଣ ଦୁର୍ବୃତ୍ତ ଦୀପକଙ୍କୁ ଆକ୍ରମଣ କରି ତାଙ୍କ ପାଖରେ ଥିବା ସୁନାଗହଣା ବ୍ୟାଗ୍ ଛଡ଼ାଇ ନେଇ ଫେରାର୍ ହୋଇଯାଇଥିଲେ । ଏନେଇ ଟାଉନ୍ ଥାନାରେ ଦୀପକ ଏତଲା ଦେଇଥିଲେ । ଏତଲା ଆଧାରରେ ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ଵତନ୍ତ୍ର ଟିମ୍ ପ୍ରଥମେ ବିଭିନ୍ନ ଅଞ୍ଚଳର ସିସିଟିଭି ଯାଞ୍ଚ କରିଥିଲେ । ଏହାପରେ କେନ୍ଦୁଝର ସହରର ବିଭିନ୍ନ ହୋଟେଲ୍ ଯାଞ୍ଚ କରିବା ସମୟରେ ଏକ ହୋଟେଲ୍ ଭିତରେ ୨ଜଣ ଅଭିଯୁକ୍ତ ଥିବାବେଳେ ଅନ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କ ଠାରୁ ସୁନା, ରୁପା ଗହଣା, ୨ଟି ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ । ଏହି ଲୁଟରେ ସମ୍ପୃକ୍ତ ଅନ୍ୟ ୩ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରି ପୋଲିସ ସେମାନଙ୍କୁ ଖୋଜୁଥିବା କହିଛନ୍ତି ସଦର ଏସଡ଼ିପିଓ।