ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଠ ଦିନିଆ ବିଦେଶ ଗସ୍ତରେ ଯିବେ । ଏହି ଗସ୍ତରେ ସେ ପାଞ୍ଚଟି ଦେଶ ଯାତ୍ରା କରିବେ । ପିଏମ ମୋଦୀଙ୍କ ଏହି ଗସ୍ତ ଜୁଲାଇ ୨ରୁ ଆରମ୍ଭ ହୋଇ ଜୁଲାଇ ୯ରେ ସରିବ । ଗତ ୧୦ ବର୍ଷରେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବୁଠୁ ଲମ୍ବା ରାଜନୈତିକ ଯାତ୍ରା । ମୋଦୀଙ୍କ ଏହି ଯାତ୍ରା ଘାନାରୁ ଆରମ୍ଭ ହେବ । ଏହି ଗସ୍ତରେ ମୋଦୀଙ୍କ ଫୋକସ ଦକ୍ଷିଣ ଆମେରିକା, କାରବିଆନ ଓ ଆଫ୍ରିକି ଦେଶ ଉପରେ ରହିବ । ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଘାନା ପରେ ପ୍ରଧାନମନ୍ତ୍ରୀ ମୋଦୀ କାରବିଆନ ଦେଶ ତ୍ରିନିଦାଦ ଓ ଟୋବାଗୋ ପରେ ଆର୍ଜେଣ୍ଟିନା ଯିବେ । ଏହା ପରେ ବ୍ରାଜିଲ ଗସ୍ତ କରିବେ । ଏଠାରେ ୧୭ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ । ମୋଦୀଙ୍କ ଏହି ଯାତ୍ରାର ଶେଷ ପର୍ଯ୍ୟାୟ ନାମିବ୍ୟା ରହିଛି ।
ଘାନା
ପ୍ରଧାନମନ୍ତ୍ରୀ ହେବା ପରେ ୧୦ ବର୍ଷରେ ପ୍ରଥମ ଥର ନରେନ୍ଦ୍ର ମୋଦୀ ଘାନା ଗସ୍ତ କରିବେ । ଗତ ୩୦ ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଘାନା ଗସ୍ତ । ଏଠାରେ ମୋଦୀ ଭ୍ୟାକ୍ସିନ ହବ ଯିବେ । ଏହା ପରେ ଘାନାର ସଂସଦକୁ ସମ୍ବୋଧିତ କରିବେ ।
ତ୍ରିନିଦାଦ ଓ ଟୋବାଗୋ
ବିଶେଷ ନିମନ୍ତ୍ରଣରେ ପିଏମ ମୋଦୀ ତ୍ରିନିଦାଦ ଓ ଟୋବାଗୋ ଯାତ୍ରା କରିବେ । ଗତ ୨୫ ବର୍ଷରେ ପ୍ରଥମ ଥର କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଏହି ଦେଶ ଯାତ୍ରା କରିବେ । ଆଶା କରାଯାଉଛି ଏଠାରେ ସେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ।
ଆର୍ଜେଣ୍ଟିନା
ନିଜର ରାଜନୈତିକ ଗସ୍ତରେ ତୃତୀୟ ଦେଶ ଭାବେ ପିଏମ ମୋଦୀ ଆର୍ଜେଣ୍ଟିନା ଗସ୍ତ କରିବେ । ଆର୍ଜେଣ୍ଟିନାର ରାଷ୍ଟ୍ରପତି ଜେଭିୟର ମିଲେଇଙ୍କ ଆମନ୍ତ୍ରଣ କ୍ରମରେ ମୋଦୀ ଗସ୍ତ କରୁଛନ୍ତି । ଏହି ସମୟରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ । ପ୍ରତିରକ୍ଷା, କୃଷି, ଖନନ, ତେଲ ଓ ଗ୍ୟାସ, କାରବାର ଓ ନିବେଶ ଉପରେ ଦୁଇ ଦେଶର ରାଷ୍ଟ୍ରାଧ୍ୟକ୍ଷ ଆଲୋଚନା କରିବେ ।
ବ୍ରାଜିଲ
ଆର୍ଜେଣ୍ଟିନା ପରେ ପିଏମ ମୋଦୀ ବ୍ରିକ୍ସ ୨୦୨୫ ସମ୍ମିଳନୀରେ ଯୋଗ ଦେବା ପାଇଁ ବ୍ରାଜିଲ ଯିବେ । ମୋଦୀଙ୍କ ଏହା ଚତୁର୍ଥ ବ୍ରାଜିଲ ଗସ୍ତ । ଏହି ସମୟରେ ପିଏମ ମୋଦୀ ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା କରିବେ ।
ନାମିବ୍ୟା
ଯାତ୍ରାର ଅନ୍ତିମ ପର୍ଯ୍ୟାୟ ନାମିବ୍ୟା ରହିବ । ୨୭ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନାମିବ୍ୟା ଗସ୍ତ ହେବ । ନିଜ ଗସ୍ତରେ ପିଏମ ମୋଦୀ ରାଷ୍ଟ୍ରପତିଙ୍କୁ ଭେଟିବେ ଓ ନାମିବ୍ୟା ସଂସଦକୁ ସମ୍ବୋଧିତ କରିବେ । ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ଭାରତର ୟୁପିଆଇକୁ ନାମିବ୍ୟାରେ ଲାଗୁ କରିବା ପାଇଁ ଚୁକ୍ତିନାମା ହେବ । ଏହା ପୂର୍ବରୁ ୟୁପିଆଇ ଭୂଟାନ, ମରିସସ, ନେପାଳ, ସିଙ୍ଗାପୁର, ଶ୍ରୀଲଙ୍କା, ଫ୍ରାନ୍ସ ଓ ୟୁଏଇରେ ସକ୍ରିୟ ଅଛି ।