Home >
ଆଖି ବୁଜିଲେ ଆତ୍ମାହୁତି ଉଦ୍ୟମ କରିଥିବା ଦିବ୍ୟାଙ୍ଗ, ତହସିଲଦାର ନିଲମ୍ବିତ
Khabar Odisha:Divyang-Jagdish-Chouhan-who-trying-suicide-has-died
ଖବର ଓଡିଶା : 17/03/2023

ନୂଆପଡ଼ା ସଦର ତହସିଲ ସମ୍ମୁଖରେ ଗତକାଲି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଦିବ୍ୟାଙ୍ଗ ଆଜି ଆଖି ବୁଜିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ବ୍ୟକ୍ତି ଜଣଙ୍କର ଆଜି ବୁର୍ଲା ମେଡିକାଲରେ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ନୂଆପଡ଼ା ସଦର ତହସିଲର କଲ୍ୟାଣପୁର ଗାଁର ଜଗଦୀଶ ଚୌହାନ। ମୃତ ଦିବ୍ୟାଙ୍ଗଙ୍କୁ ନ୍ୟାୟ ଓ କ୍ଷତିପୂରଣ ଦାବିରେ ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ନାଆଁରେ ଥାନାରେ ମାମଲା ରୁଜୁ ହୋଇଛି। ତେଣେ ସ୍ଥାନୀୟ ତହସିଲଦାର ଦେବେନ୍ଦ୍ର ରାଉତଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି। ଏନେଇ ଜିଲ୍ଲାପାଳ ହେମକାନ୍ତ ସୟ୍ ସୂଚନା ଦେଇଛନ୍ତି। ଖବର ଅନୁସାରେ, ଜମି ବିକ୍ରି ପାଇଁ ଅନୁମତି ନ ମିଳୁ ନ ଥିବାରୁ ମାନସିକ ଅବସାଦରେ ଥିବା ଜଗଦୀଶ ଗତକାଲି ତହସିଲ ଅଫିସକୁ ଯାଇଥିଲେ। ସେଠାରେ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ସେ ସାଙ୍ଗରେ ଆଣିଥିବା ପେଟ୍ରୋଲକୁ ନିଜ ଦେହରେ ଢାଳି ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରଥମେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ହୋଇଛି।

Subscribe

National International State Sports Entertainment