ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫ୍ରାନ୍ସ ଗସ୍ତ ସ୍ୱତନ୍ତ୍ର ଏବଂ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ମୋଦି । ସୁନ୍ଦର ଅତିଥି ଚର୍ଚ୍ଚା ଲାଗି ଫ୍ରାନ୍ସ ରାଷ୍ଟ୍ରପତି ଏବଂ ଫ୍ରାନ୍ସବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି। ମାକ୍ରନଙ୍କ ସରକାରୀ ବାସଭବନ ଏଲିସି ପ୍ୟାଲେସରେ ଫ୍ରାନ୍ସ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଗତକାଲି ଦ୍ୱିପାକ୍ଷିକ ବୈଠକ ହୋଇଛି। ଏହି ଅବସରରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ବୃଦ୍ଧି କରିବାକୁ ଦୁଇ ଦେଶ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଭାରତ ଏବଂ ଫ୍ରାନ୍ସ ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜିନ ବିକାଶ କରିବାକୁ ଯାଉଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଏହି ଘୋଷଣା କରାଯାଇଛି।
ତେବେ ସୂଚନା ରହିଛି ଯେ ଫ୍ରାନ୍ସର ବିମାନ କମ୍ପାନି ‘ସାର୍ଫନ’ ଏବଂ ଭାରତର ‘ଡିଫେନ୍ସ ରିସର୍ଚ ଆଣ୍ଡ୍ ଡେଭ୍ଲପମେଣ୍ଟ୍ ଅରଗାନାଇଜେସନ୍ (ଡିଆର୍ଡିଓ)’ ଏହି ମିଳିତ ବିକାଶ ପ୍ରକଳ୍ପର ଏକ ରୋଡ୍ ମ୍ୟାପ୍ ଚଳିତବର୍ଷ ଶେଷ ପୂର୍ବରୁ ପ୍ରସ୍ତୁତ କରିବେ। ‘ସାର୍ଫନ’ ହେଲିକପ୍ଟର ଇଞ୍ଜିନ ସହିତ ଇଣ୍ଡିଆନ୍ ମଲ୍ଟି ରୋଲ୍ ହେଲିକପ୍ଟର (ଆଇଏମ୍ଆର୍ଏଚ୍) କାର୍ଯ୍ୟକ୍ରମ ଅଧୀନରେ ହେଭି-ଲିଫ୍ଟ ହେଲିକପ୍ଟରର ମୋଟରାଇଜେସନ୍ ପାଇଁ ଉଭୟ ଦେଶ ଶିଳ୍ପ ସହଯୋଗକୁ ସମର୍ଥନ ଦେଇଛନ୍ତି।ଆଇଏମ୍ଆର୍ଏଚ୍ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ଇଞ୍ଜିନ ବିକାଶ ପାଇଁ ଭାରତର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହଲ୍), ଏବଂ ଫ୍ରାନ୍ସର ‘ସାର୍ଫନ’ ହେଲିକପ୍ଟର ଇଞ୍ଜିନ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି। ମିଳିତ ସାମ୍ବାଦିକ ସମ୍ମିଳନୀରେ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ‘ପ୍ରତିରକ୍ଷା ସମ୍ପର୍କ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ମୂଳ ସ୍ତମ୍ଭ ହୋଇଆସୁଛି। ଏହା ଦୁଇ ଦେଶ ମଧ୍ୟରେ ପାରସ୍ପରିକ ବିଶ୍ୱାସର ପ୍ରତୀକ।’
ଅଧିକ ପଢ଼ନ୍ତୁ :-ମୋଦୀଙ୍କୁ ମିଳିଲା ଫ୍ରାନ୍ସର ସର୍ବୋଚ୍ଚ ‘ଲିଜନ୍ ଅଫ୍ ଅନର’ ସମ୍ମାନ
ସେହିପରି ବିଶ୍ୱ ସାମ୍ନାରେ ଯାହା କିଛି ଆହ୍ୱାନ ଅଛି, ଆମେ ଭାରତ ସହ ମିଶି ତାହାର ସମାଧାନ ଖୋଜିବୁ ବୋଲି ମାକ୍ରନ କହିଛନ୍ତି। ଫ୍ରାନ୍ସ ଗସ୍ତ ଅବସରରେ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କୁ ଚନ୍ଦନ କାଠ ନିର୍ମିତ ଏକ ସୀତାର୍ ଉପହାର ଦେଇଛନ୍ତି । ସେହିପରି ଫ୍ରାନ୍ସର ଫାର୍ଷ୍ଟ ଲେଡି ବ୍ରିଜେଟ୍ ମାକ୍ରନଙ୍କୁ ଚନ୍ଦନକାଠ ବାକ୍ସରେ ତେଲଙ୍ଗାନା ପୋଚାମ୍ପଲିର ପ୍ରସିଦ୍ଧ ସିଲ୍କ ଇକତ ଶାଢ଼ୀ ଉପହାର ଦେଇଛନ୍ତି ମୋଦି ।