ଯେରୁସେଲମ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଙ୍ଗଳବାର କହିଛନ୍ତି ଯେ ହାସନ ନସରଲ୍ଲାଙ୍କ ସ୍ଥାନରେ ହେଜବୁଲ୍ଲାର କମାଣ୍ଡ ନେଇଥିବା ଲୋକଙ୍କୁ ମଧ୍ୟ ଆମେ ହତ୍ୟା କରିଛୁ। ସେ ନସରୁଲ୍ଲାଙ୍କ ଉତ୍ତରାଧିକାରୀ ହାସେମ ସଫିଦ୍ଦିନଙ୍କ ମୃତ୍ୟୁକୁ ମଧ୍ୟ ନିଶ୍ଚିତ କରିଛନ୍ତି। ନେତାନ୍ୟାହୁ କହିଛନ୍ତି ଯେ ଆମେ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ପିଠି ଭାଙ୍ଗିଛୁ। ଏଥିରେ ତାଙ୍କ ହଜାର ହଜାର ଆତଙ୍କବାଦୀ ନିହତ ହୋଇଛନ୍ତି।
ହେଜବୁଲ୍ଲାଙ୍କ ସହ ମିଶି ସେମାନଙ୍କ ଭବିଷ୍ୟତ ନଷ୍ଟ ନ କରିବାକୁ ଏବଂ ଏଥିରୁ ମୁକ୍ତି ପାଇବା ପାଇଁ ନେତନ୍ୟାହୁ ଲେବାନନକୁ ନିବେଦନ କରିଛନ୍ତି। ଏହା ପୂର୍ବରୁ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗାଲାଣ୍ଟ କହିଛନ୍ତି ଯେ ନସରଲ୍ଲାଙ୍କ ଉତ୍ତରାଧିକାରୀ ସଫିଦ୍ଦିନଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ଗତ ସପ୍ତାହରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ପରଠାରୁ ସଫିଦ୍ଦୀନଙ୍କୁ ସର୍ବସାଧାରଣଙ୍କ ଠାରୁ ଦେଖିବାକୁ କିମ୍ବା ଶୁଣିବାକୁ ମିଳିନାହିଁ।
ଇସ୍ରାଏଲ ସେନା ମଙ୍ଗଳବାର ଦାବି କରିଛି ଯେ ବେରୁତ ଉପରେ ହୋଇଥିବା ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟାଳୟର ଜଣେ ବରିଷ୍ଠ କମାଣ୍ଡର ସୁହେଲ ହୁସେନୀ ନିହତ ହୋଇଛନ୍ତି। ହୁସେନୀ ଆତଙ୍କବାଦୀ ସଂଗଠନପାଇଁ ଲଜିଷ୍ଟିକ୍ସ, ବଜେଟ୍ ଏବଂ ପରିଚାଳନାର ତଦାରଖ କରୁଥିଲେ। ତେବେ ହିଜବୁଲ୍ଲାଙ୍କ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଇସ୍ରାଏଲ ସେନା କହିଛି ଯେ ଇରାନରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର ଏବଂ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲାର ବିଭିନ୍ନ ୟୁନିଟକୁ ପହଞ୍ଚାଇବାରେ ହୋସେନି ସମ୍ପୃକ୍ତ ଥିଲେ।
ହୋସେନି ଏହି ଗୋଷ୍ଠୀର ସାମରିକ ପରିଷଦର ସଦସ୍ୟ ଥିଲେ। ଗତ କିଛି ସପ୍ତାହ ମଧ୍ୟରେ ଇସ୍ରାଏଲ ର ଆକ୍ରମଣରେ ହିଜବୁଲ୍ଲା ମୁଖ୍ୟ ହାସନ ନସରୁଲ୍ଲା ଏବଂ ତାଙ୍କର ଅନେକ ଶୀର୍ଷ କମାଣ୍ଡର ନିହତ ହୋଇଛନ୍ତି । ଇସ୍ରାଏଲ ଉପରେ ହାମାସର ଆକ୍ରମଣର ବାର୍ଷିକୀ ଅବସରରେ ସୋମବାର ସମଗ୍ର ବିଶ୍ୱରେ ଶୋକସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଇସ୍ରାଏଲ ସେନା କହିଛି ଯେ ସେମାନେ ବର୍ତ୍ତମାନ ଲେବନାନର ଦକ୍ଷିଣ ଉପକୂଳ ଅଞ୍ଚଳରେ ଖୁବ୍ ଶୀଘ୍ର ଅଭିଯାନ ଆରମ୍ଭ କରିବେ।
ଲେବାନନର ଲୋକଙ୍କୁ ସମୁଦ୍ର କୂଳରୁ ଦୂରେଇ ରହିବାକୁ ସେନା ପରାମର୍ଶ ଦେଇଛି। ଇସ୍ରାଏଲ ସେନା କହିଛି ଯେ ସେମାନେ ଏକ ଘଣ୍ଟା ମଧ୍ୟରେ ଦକ୍ଷିଣ ଲେବାନନର ୧୨୦ରୁ ଅଧିକ ହିଜବୁଲ୍ଲା ଟାର୍ଗେଟକୁ ଟାର୍ଗେଟ କରିଛନ୍ତି। ଲେବନାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏହି ଆକ୍ରମଣରେ ଅତି କମରେ ୧୦ ଜଣ ଅଗ୍ନିଶମ କର୍ମଚାରୀପ୍ରାଣ ହରାଇଛନ୍ତି। ଏୟାର ଷ୍ଟ୍ରାଇକ୍ ସହିତ ଇସ୍ରାଏଲ ସେନା ଦକ୍ଷିଣ ଲେବାନନରେ ଥିବା ହିଜବୁଲ୍ଲାର ଆଶ୍ରୟସ୍ଥଳୀରେ ମଧ୍ୟ ଗ୍ରାଉଣ୍ଡ ଅପରେସନ ଚଳାଇଛି।
ଇସ୍ରାଏଲ ସେନାର ଚତୁର୍ଥ ଡିଭିଜନକୁ ଦକ୍ଷିଣ ଲେବାନନରେ ମୁତୟନ କରାଯାଇଛି। ଗାଜା ଉପତ୍ୟକାରେ ଅସ୍ତ୍ରବିରତି ପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ ଇସ୍ରାଏଲ ଉପରେ ରକେଟ୍, କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ ଜାରି ରହିବ ବୋଲି ହିଜବୁଲ୍ଲା ପ୍ରତିଶ୍ରୁତି ଦେଇଛି। ଅନ୍ୟପକ୍ଷରେ ହିଜବୁଲ୍ଲାର ଉପନେତା ନଇମ୍ କାସେମ୍ ଲେବାନନରେ ଅସ୍ତ୍ରବିରତି ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଆଲୋଚନା ମାଧ୍ୟମରେ ଅସ୍ତ୍ରବିରତି ର ରାସ୍ତା ଖୋଲା ରହିଛି ବୋଲି ସେ କହିଛନ୍ତି। ଲେବାନନ-ଇସ୍ରାଏଲ ସୀମାରେ ଲଢେଇ ବନ୍ଦ କରିବା ପାଇଁ ହିଜବୁଲ୍ଲା ପ୍ରଥମ ଥର ପାଇଁ ଗାଜାରେ ଯୁଦ୍ଧ ଶେଷ ହେବା ବିଷୟରେ ଉଲ୍ଲେଖ କରିନାହିଁ।
ଅଧିକ ପଢ଼ନ୍ତୁ: ୧୦ ଲକ୍ଷ ଲୋକଙ୍କୁ ଆମେରିକାର ବଡ଼ ନିର୍ଦ୍ଦେଶ