ଭୁବନେଶ୍ବର, ଡିସେମ୍ବର ୦୪ (ଖବର ଓଡ଼ିଶା):
କାଲି ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବ ବାତ୍ୟା ଜୱାଦ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ର ପ୍ରଭାବ ଧିରେ ଧିରେ ବଢୁଥିବା ବେଳେ ପାରାଦୀପରେ ସର୍ବାଧିକ ୬୨ ମିମି ବର୍ଷା ରେକର୍ଡ଼ କରାଯାଇଛି ।
ସେହିପରି ଗୋପାଳପୁରରେ ୪୩.୩,ପୁରୀରେ ୪୦,ଭୁବନେଶ୍ୱରରେ ୧୦.୪ ମିମି ବର୍ଷା ରେକର୍ଡ଼ କରାଯାଇଛି । ପୁରୀରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୨୬କିମି ବେଗରେ ପବନ ବୋହୂଛି ।
ଟୁଇନ୍ ସିଟିରେ ମଧ୍ୟ ଆଜି ଦିନ ତମାମ ବର୍ଷା ଲାଗି ରହିବ । ପୁରୀ ଓ ଗୋପାଳପୁରରେ ବନ୍ଦର ପାଇଁ ୭ ନମ୍ବର ବିପଦ ସଙ୍କେତ ଜାରୀ କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପ୍ରେସମିଟ୍ କରି ସୁଚନା ଦେଇଛନ୍ତି ।
ବର୍ତ୍ତମାନ ଜୱାଦ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । କିଛି ସମୟ ପରେ ଉତ୍ତର ଉତ୍ତର-ପୂର୍ବକୁ ଦିଗ ପରିବର୍ତ୍ତନ କରିବ । ତେବେ ଦିଗ ପରିବର୍ତ୍ତନ ପରେ ବର୍ଷା ଓ ପବନ ଧିରେ ଧିରେ ବଢିବ । ଏହାର ପ୍ରଭାବରେ ଗଞ୍ଜାମ ,ପୁରୀ,ଜଗତସିଂହ ପୁରରେ ପବନର ବେଗ ଅଧିକ ରହିବ । ସର୍ବାଧିକ ୯୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।