ନାବାଳିକା ବୋଲି ଜାଣି ବିବାହ ନ କରାଇ ବେଦୀରୁ ପଳାଇଲେ ପୁରୋହିତ। କିଛି ସମୟ ପରେ ପହଞ୍ଚିଲା ପ୍ରଶାସନ, ଆଉ ନାବାଳିକାଙ୍କୁ ଉଦ୍ଧାର କଲା। ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତରେ ହେଉଥିବା ଏକ ବାଲ୍ୟବିବାହକୁ ସମୟ ପୂର୍ବରୁ ରୋକିବାରେ ସଫଳ ହୋଇଛି ପ୍ରଶାସନ। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚାନ ଅନୁସାରେ, ଚାଇଲ୍ଡ ହେଲ୍ପ ଲାଇନ ଟୋଲ ଫି୍ର ନମ୍ବର ୧୦୯୮କୁ କଲ ଆସିଲା ଯେ, ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ପରିଡା ଗ୍ରାମପଞ୍ଚାୟତରେ ଏକ ବାଲ୍ୟ ବିବାହ ହେବାକୁ ଯାଉଛି। ଏହି ଖବର ମିଳିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରାଯିବା ସଙ୍ଗେ ସଙ୍ଗେ ଏକ ଟିମ୍ ଗଠନ କରାଯାଇଥିଲା, ଯେଉଁଥିରେ ଗୁମ୍ମା ବ୍ଲକର ସିଡିପିଓ, ଡିସିପିୟୁ ସଦସ୍ୟ, ଚାଇଲ୍ଡ ହେଲ୍ପ ଲାଇନର ସଦସ୍ୟ, ସଖୀ କେନ୍ଦ୍ରର ସଦସ୍ୟା, ଏବଂ ଏକ ଏନଜିଓର ସଦସ୍ୟାମାନେ ରହିଥିଲେ। ଏହି ଟିମ୍ ସେରଙ୍ଗ ଥାନା ଗାଇବା ଫାଣ୍ଡି ପୋଲିସ ସହ ମିଶି ବିବାହ ସ୍ଥଳରେ ପହଞ୍ଚିଥିଲା। ତେବେ ବିବାହ କାର୍ୟ୍ୟ ସମ୍ପନ୍ନ କରିବାକୁ ଆସିଥିବା ପୁରୋହିତ ବିବାହ ପାଇଁ ଝିଅର ବୟସ ହୋଇ ନ ଥିବା ଜାଣି ବିବାହ ନ କରାଇ ମଣ୍ଡପରୁ ପଳାଇଥିଲେ। ଏହାର କିଛି ସମୟ ପରେ ଟିମ ପହଞ୍ଚି ବିବାହକୁ ରୋକିଥିଲା। ଟିମ୍ ବାଲ୍ୟ ବିବାହ ନିରୋଧ ଆଇନ ଓ ତାହାର ଦଣ୍ଡ ବିଧାନ ବିଷୟରେ ଝିଅର ପରିବାରକୁ ଜଣାଇଥିଲେ। ଝିଅଟିର ବୟସ ୧୭ ବର୍ଷ ୯ମାସ ହୋଇଥିବାରୁ ଝିଅଟିକୁ ବିବାହ ସ୍ଥାନରୁ ଉଦ୍ଧାର କରି ଶିଶୁ କଲ୍ୟଣ ସମିତି ଗଜପତିରେ ହାଜର କରାଯାଇଥିଲା। ଶିଶୁ କଲ୍ୟାଣ ସମିତି ନାବାଳିକା ଓ ତାଙ୍କ ପରିବାର ସଦସ୍ୟଠାରୁ ସମସ୍ତ ବିଷୟ ପଚାରି ବୁଝିଥିଲେ। ପରେ ଶିଶୁ ଓ ତାଙ୍କ ପିତାମାତାଙ୍କୁ ବାଲ୍ୟ ବିବାହ ଏକ ଅପରାଧ ବୋଲି ବୁଝାଇଥିଲେ। ଅର୍ଥାତ ଝିଅର ବୟସ ୧୮ ଓ ପୁଅର ବୟସ ୨୧ ବର୍ଷ ବିବାହ ପାଇଁ ଉପଯୁକ୍ତ ବୟସ ଅଟେ ବୋଲି ଜଣାଇଥିଲେ। ପରିବାର ସଦସ୍ୟ ଏ ବିଷୟ ବୁଝିବା ପରେ ୧୮ ବର୍ଷ ପୂର୍ବରୁ ବିବାହ କରିବେ ନାହିଁ ବୋଲି ଲିଖିତ ଭାବରେ ଜଣାଇବା ପରେ ଶିଶୁଙ୍କୁ ତାଙ୍କ ମାତାଙ୍କୁ ହସ୍ତାନ୍ତର କରିଥିଲେ।