ମାଲକାନଗିରି: ଭାଙ୍ଗୁଛି ଲାଲଦୁର୍ଗ। ମାଲକାନଗିରି ଜିଲ୍ଲା ପୁଲିସ୍ ନିକଟରେ ୨୨ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବନ୍ଧୁକ, ଟିଫିନ ବୋମା, ଗୁଳି, ବିସ୍ଫୋରକ ସାମଗ୍ରୀ ଓ ଅନ୍ୟ ମାଓ ସାମଗ୍ରୀ ସହ ମାଓବାଦୀମାନେ ପୁଲିସ୍ ଡିଜି ୱାଇ ବି ଖୁରାନିଆଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପୁଲିସ୍ ଡିଜି, ଡ଼ିଆଇଜି କନୱର ଵିଶାଲ ସିଂ, ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ଓ ଅନ୍ୟ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ। ହିଂସାର ପଥ ଛାଡି ଆତ୍ମସମର୍ପଣ କଲେ ସରକାରୀ ସ୍ତରରେ ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ ସହ ଥଇଥାନ କରାଯିବ ବୋଲି ପୁଲିସ୍ ଡିଜି ପ୍ରକାଶ କରିଛନ୍ତି।
ଆତ୍ମ ସମର୍ପଣ କରିଥିବା ମାଓବାଦୀମାନେ ହେଉଛନ୍ତି ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି(DKSZC)ର ଡିସିଏମ, କମାଣ୍ଡର ଲିଙ୍ଗେ ଓରଫ ମୁୟେ ମଡକାମ ଏବଂ ଏସିଏମ, କମାଣ୍ଡର, ବାମନ ମଡକାମ, ଏରିଆ କମିଟି ମେମ୍ବର (ଏସିଏମ), ସୁକ୍କା ମୁଚାକି, ଆଇତୁ ଆଉଲାମି,କୋସା କାବାସି, ବତି ମାଡ଼କାମ ଓରଫ ଅଞ୍ଜୁ, ଜୋଗି ମୁଚାକି, ରିତା ପୋଡିଆମ, ଜୋଗୀ ସୋଡି, ଭୀମେ କଲମୁ, ମଙ୍ଗଲି ବାଞ୍ଜାମି, ଜୋଗା ମୁଚାକି, ଆଡମେ ମୁଚାକି, ମାଡଭି କୋସା, କୁଞ୍ଜାମ ଉରା, ମାଡା ମାଡଭି, ମୁଚାକି ଆଡମା, ଦେବା ମାଡଭି, ଅର୍ଜୁନ ମାଡଭି, ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ୨ ଜଣ ସାଗର ଓରଫ ସନ୍ନା ପୁନେମ, ସୋମେୟ ମିଡିଆମ୍ ଏବଂ ଗଡଚିରଲି ଏରିୟା କମିଟିର ଅନିଲା ଓରଫ ବୁଦ୍ରି ମିଡିଆମ୍ ।ଦୁଇ ଜଣ ଆନ୍ଧ୍ର ଓଡିଶା ବୋର୍ଡ ଜୋନାଲ କମିଟିର ସଦସ୍ୟ ହୋଇଥିବାବେଳେ ୨୦ଜଣ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ର ସଦସ୍ୟ ଥିଲେ। ଏମାନଙ୍କ ମଧ୍ୟରେ କୁଖ୍ୟାତ ମାଓ ନେତା ଡିସିଏମ ଲିଙ୍ଗେ ମଧ୍ୟ ସାମିଲ ଅଛି। ବହୁ ବଡ଼ ବଡ଼ ମାଓ ହିଂସାକାଣ୍ଡରେ ଏମାନେ ସାମିଲ ଥିଲେ। ଏହା ସହ ୧ଟି ଏକେ-୪୭ (AK-୪୭) ରାଇଫଲ୍, ୨ଟି ଇନସାସ୍ (INSAS) ରାଇଫଲ୍, ୭.୬୨ ଏମ୍ ଏମ୍ ଏସ୍ଏଲ୍ଆର୍ (SLR) ରାଇଫଲ୍, ୩ଟି .୩୦୩ ରାଇଫଲ୍ ଏବଂ ୨ଟି ସିଙ୍ଗଲ୍-ସଟ୍ ରାଇଫଲ୍, ୧୫୦ ରାଉଣ୍ଡ ଜୀବନ୍ତ ଗୁଳି, ୯ଟି ମାଗାଜିନ୍, ୨୦ କିଲୋ ବିସ୍ଫୋରକ, ୧୩ଟି ଆଇଇଡି ଏବଂ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ନିକଟରେ ହସ୍ତାନ୍ତର କରିଥିଲେ।
ଏହି ଆତ୍ମସମର୍ପଣକାରୀଙ୍କ ମାଓବାଦୀଙ୍କ ନାଁରେ ୨କୋଟି ୨୫ ଲକ୍ଷ ରୁ ଅଧିକ ଟଙ୍କା ର ପୁସ୍କାର ରାଶି ଥିଲା। ଆତ୍ମସମର୍ପଣ ପରେ ସମସ୍ତଙ୍କୁ ସରକାରୀ ନୀତି ଅନୁଯାୟୀ ଥଇଥାନ କରାଯିବ ବୋଲି ପୁଲିସ୍ ପ୍ରକାଶ କରିଛି । ରାଜ୍ୟ ସରକାରଙ୍କ ନୂତନ ଆତ୍ମସମର୍ପଣ ତଥା ପୁନର୍ବାସ ନୀତି ଅନୁଯାୟୀ ୨୨ ଜଣ ଆତ୍ମସମର୍ପଣ କରିଥିବା କ୍ୟାଡରଙ୍କୁ ୧ କୋଟି ୮୪ ଲକ୍ଷ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଏହା ସହ ପ୍ରତ୍ୟେକଙ୍କୁ ୨୫ ,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର, ବାହାଘର ନିମନ୍ତେ ୨୫ ହଜାର ଟଙ୍କା, କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପ୍ରଦତ୍ତ ସ୍ଵାସ୍ଥ ବୀମା, ମାଗଣାରେ ରାସନ କାର୍ଡ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ପ୍ରଦାନ କରାଯିବ। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ସମସ୍ତ ଆଇନସମ୍ମତ ସୁବିଧା, ସୁରକ୍ଷା ଓ ପୁନର୍ବାସ ସହାୟତା ପ୍ରଦାନ କରାଯିବ।
ଅଧିକ ପଢନ୍ତୁ: ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ , ବଳି ପଡିଲା ଶହ ଶହ କୁକୁଡ଼ା, ବୋଦା ଓ ପୋଢ଼