ନୂଆଦିଲ୍ଲୀ: ସଂପ୍ରତି ଆରାବଳୀ ପର୍ବତମାଳା ଦେଶର ସବୁଠୁ ବଡ଼ ପ୍ରସଙ୍ଗ ପାଲଟିଛି। ଗତ କିଛି ଦିନ ହେବ ଏହାକୁ ନେଇ ତର୍କ ବିତର୍କ ଲାଗି ରହିଛି। ବର୍ତ୍ତମାନ ସରକାରଙ୍କ ନୀତି କାରଣରୁ ଉତ୍ତର ଓ ପଶ୍ଚିମ ଭାରତର ଅକ୍ସିଜେନ କୁହାଯାଉଥିବା ଆରାବଳୀ ଏବେ ବିପଦରେ ପଡ଼ିଥିବା ଅନେକ ଖବର ନିକଟରେ ପ୍ରକାଶ ପାଇଛି। ଏହା ମଧ୍ୟରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟ ଆରାବଳୀ ପାହାଡ଼ର "ପରିଭାଷା" ଏବଂ ଏଥିରେ ଜଡ଼ିତ ୧୦୦ ମିଟର ଫର୍ମୁଲାର ବିବାଦ ବିରୋଧରେ ଦାଖଲ ଯାଚିକାକୁ ଗ୍ରହଣ କରିଛନ୍ତି। ହରିୟାଣାର ଅବସରପ୍ରାପ୍ତ ବନ ଅଧିକାରୀ ଆର.ପି. ବଲୱାନ ଏହି ଆବେଦନ ଦାଖଲ କରିଥିଲେ। ଡିସେମ୍ବର ୧୭ରେ କୋର୍ଟ ନିଜ ଆଦେଶରେ କେନ୍ଦ୍ର ସରକାର, ହରିୟାଣା ଏବଂ ରାଜସ୍ଥାନ ସରକାର ଏବଂ ପରିବେଶ ମନ୍ତ୍ରଣାଳୟ (MoEFCC) ଠାରୁ ଜବାବ ଲୋଡ଼ିଛନ୍ତି।
୧୦୦ ମିଟରରୁ ଛୋଟ ପାହାଡ଼ ବିପଦରେ
ଏହି ମାମଲା ପୂର୍ବରୁ ଟି.ଏନ. ଗୋଦାବର୍ମନ ଥିରୁମୁଲପାଦ ବନାମ ଭାରତ ସଂଘ ମାମଲା ସହିତ ଜଡିତ ଥିଲା, ଯେଉଁଥିରେ ସୁପ୍ରିମକୋର୍ଟ ୧୯୯୬ ମସିହାରେ ଜଙ୍ଗଲକୁ ନେଇ ଏକ ପରିଭାଷା ଦେଇଥିଲେ। ନଭେମ୍ବର ୨୦୨୨ରେ, କୋର୍ଟ ପରିବେଶ ମନ୍ତ୍ରଣାଳୟର ଏକ କମିଟିର ସୁପାରିଶକୁ ଗ୍ରହଣ କରି ଆରାବଳୀ ପାହାଡ଼ର ଏକ ବ୍ୟାପକ ପରିଭାଷା ସ୍ଥିର କରିଥିଲେ।
ସୁପ୍ରିମକୋର୍ଟ ଅନୁଯାୟୀ ସ୍ଥାନୀୟ ସ୍ତରରେ କେବଳ ୧୦୦ ମିଟର କିମ୍ବା ତା'ଠାରୁ ଅଧିକ ପାହାଡ଼ଗୁଡ଼ିକୁ ଏବଂ ଏହାର ଢାଲ ଏବଂ ଆଖପାଖ ଜମିକୁ ଆରାବଳୀ ଭାବରେ ବିବେଚନା କରାଯିବ। ତଥାପି, ଆବେଦନକାରୀ ଯୁକ୍ତି ଦେଇଛନ୍ତି ଯେ ଏମିତି ହେଲେ ୧୦୦ ମିଟରରୁ କମ୍ ପାହାଡ଼ଗୁଡ଼ିକର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ। ଯାହା ଫଳରେ ପରିବେଶଗତ କ୍ଷତି ଘଟିବ।
ଅନେକ ରାଜ୍ୟର ପରିବେଶ ବିପଦରେ ପଡ଼ିବ
ଆରପି ବଲୱାନ କହିଛନ୍ତି ଯେ ଆରାବଳୀ ପର୍ବତମାଳା ଗୁଜୁରାଟରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପ୍ତ ଏବଂ ଥର ମରୁଭୂମି ପାଇଁ ଏକ କାନ୍ଥ ଭାବେ କାର୍ଯ୍ୟ କରେ। ୧୦୦ ମିଟର ନିୟମ ପ୍ରଣୟନ ହେବା ଦ୍ଵାରା ଆରାବଳୀର ଅଧିକାଂଶ ଛୋଟ ଛୋଟ ପାହାଡ଼ ପର୍ବତ ଆଇନଗତ ସୁରକ୍ଷା ହରାଇବ। ସେ ମନ୍ତ୍ରଣାଳୟର ଶପଥପତ୍ରରେ ଥିବା ବିରୋଧାଭାସକୁ ମଧ୍ୟ ସୂଚାଇଥିଲେ ଏବଂ କହିଥିଲେ ଯେ ଏହା କେବଳ ଏକ ବୈଷୟିକ ସମସ୍ୟା ନୁହେଁ, ବରଂ ଏହା ରାଜସ୍ଥାନ, ହରିୟାଣା, ଦିଲ୍ଲୀ ଏବଂ ସମଗ୍ର ଉତ୍ତର-ପଶ୍ଚିମ ଭାରତର ପରିବେଶକୁ ପ୍ରଭାବିତ କରିବ।
୧୦୦ ମିଟର ନିୟମକୁ ନେଇ ଭୁଲ୍ ଧାରଣା
କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ ୧୦୦ ମିଟର ନିୟମକୁ ଯେଉଁ ବିରୋଧ କରାଯାଉଛି ଯାହା ଏକ ଭୁଲ ବୁଝାମଣା ଉପରେ ଆଧାରିତ। ଏକ ସ୍ଥାୟୀ ଖଣି ଯୋଜନା ବିକଶିତ ନହେବା ପର୍ଯ୍ୟନ୍ତ କୌଣସି ନୂତନ ଖଣି ଲିଜ୍ ପ୍ରଦାନ କରାଯିବ ନାହିଁ। ମନ୍ତ୍ରଣାଳୟ କହିଛି ଯେ ଏହି ପରିଭାଷା ୨୦୦୬ ମସିହାରୁ ରାଜସ୍ଥାନରେ କାର୍ଯ୍ୟକାରୀ ହୋଇଛି ଏବଂ ଅଧିକାଂଶ ଅଞ୍ଚଳକୁ ସୁରକ୍ଷା ଦେବ। ଅନିୟନ୍ତ୍ରିତ ଖଣି ଦ୍ୱାରା ହୋଇଥିବା ପ୍ରଚୁର କ୍ଷତିକୁ ଉଲ୍ଲେଖ କରି କୋର୍ଟ ପୂର୍ବରୁ ଗୁରୁଗ୍ରାମ, ଫରିଦାବାଦ ଏବଂ ନୁହ ଭଳି ଅଞ୍ଚଳରେ ଆରାବଲୀ ପର୍ବତମାଳାର ପଥର ଖଣି ଉପରେ କଠୋର ନିଷେଧ ଲଗାଇଛି।
ଏହି ଆବେଦନ ଏପରି ସମୟରେ କରାଯାଇଛି ଯେତେବେଳେ ଆରାବଳୀ ସଂରକ୍ଷଣ ସମ୍ପର୍କରେ ବିତର୍କ ଚାଲିଛି। ବିଶେଷଜ୍ଞଙ୍କ ମତରେ ଏକ ସଠିକ୍ ପରିଭାଷା ଏହି ପ୍ରାଚୀନ ପର୍ବତମାଳାକୁ ସୁରକ୍ଷା ଦେବ। ସମସ୍ତ ପକ୍ଷଙ୍କ ପ୍ରତିକ୍ରିୟା ପାଇବା ପରେ କୋର୍ଟ ଏବେ ମାମଲାର ଶୁଣାଣି କରିବେ।
ଆରାବଳୀକୁ ନେଇ ଜାଣନ୍ତୁ ପ୍ରମୁଖ ୧୦ ମୁଖ୍ୟ ବିନ୍ଦୁ
୧. ୧୦୦ ମିଟର ନିୟମ କ'ଣ?
ଆରାବଳୀ ପାହାଡ଼ଗୁଡ଼ିକୁ କେବଳ ଖଣି ପାଇଁ ତେବେ ବିବେଚନା କରାଯିବ ଯେବେ ସ୍ଥାନୀୟ ଭୂମିଠାରୁ ୧୦୦ମିଟର କିମ୍ବା ଅଧିକ ଉଚ୍ଚରେ ଥାଏ, ଯେଉଁଥିରେ ସେମାନଙ୍କର ଢାଲ ଏବଂ ଆଖପାଖର ଜମି ମଧ୍ୟ ଅନ୍ତର୍ଭୁକ୍ତ।
୨. ଏହି ନିୟମ କେବେ ଗୃହୀତ ହୋଇଥିଲା?
୨୦୨୫ ନଭେମ୍ବରରେ, ସୁପ୍ରିମକୋର୍ଟ ପରିବେଶ ମନ୍ତ୍ରଣାଳୟର କମିଟିର ସୁପାରିଶକୁ ଏକ ସମାନ ପରିଭାଷା ଭାବରେ ଗ୍ରହଣ କରିଥିଲେ।
୩. ଆବେଦନ କିଏ ଦାଖଲ କରିଥିଲା?
ଅବସରପ୍ରାପ୍ତ ହରିୟାଣା ବନ ସଂରକ୍ଷକ ଆର.ପି. ବଲୱାନ ଆବେଦନ ଦାଖଲ କରିଥିଲେ ଏବଂ ଯୁକ୍ତି ଦେଇଥିଲେ ଯେ ନିମ୍ନ ଉଚ୍ଚର ପାହାଡ଼ଗୁଡ଼ିକ ସୁରକ୍ଷାରୁ ବାଦ୍ ପଡ଼ିବ।
୪. କୋର୍ଟଙ୍କ ସଂପ୍ରତି ପଦକ୍ଷେପ କଣ ?
୨୦୨୫ରେ ଡିସେମ୍ବର ୧୭ରେ କୋର୍ଟ ଆବେଦନକୁ ଗ୍ରହଣ କରି କେନ୍ଦ୍ର, ହରିୟାଣା ଏବଂ ରାଜସ୍ଥାନ ସରକାର ଏବଂ ମନ୍ତ୍ରଣାଳୟଠାରୁ ଜବାବ ମାଗିଛନ୍ତି।
୫. ଆବେଦନକାରୀଙ୍କ ଚେତାବନୀରେ କ’ଣ ରହିଛି?
୧୦୦ ମିଟରରୁ କମ୍ ଉଚ୍ଚତା ବିଶିଷ୍ଟ ପାହାଡ଼ଗୁଡ଼ିକୁ ଆରାବଲୀ ପର୍ବତମାଳାର ଅଂଶ ଭାବରେ ମାନ୍ୟତା ନ ଦେବା ଦ୍ୱାରା ପରିବେଶଗତ କ୍ଷତି ହେବ, ମରୁଭୂମି ବିସ୍ତାର ହେବ ଏବଂ ଜଳ ଅଭାବ ବୃଦ୍ଧି ପାଇବ।
୬. ସରକାରଙ୍କ ପକ୍ଷ କ’ଣ?
କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ ବିରୋଧ ଭୁଲ ବୁଝାମଣାରୁ ହେଉଛି। କୌଣସି ରିହାତି ପ୍ରଦାନ କରାଯାଇ ନାହିଁ, ଏବଂ ଅଧିକାଂଶ ଅଞ୍ଚଳ ସୁରକ୍ଷିତ ରହିଛି। କୌଣସି ନୂତନ ଖଣି ଲିଜ୍ ଦିଆଯିବ ନାହିଁ।
୭. ଆରାବଳୀ ପର୍ବତମାଳାର ଗୁରୁତ୍ୱ କ’ଣ?
ଏହା ଗୁଜରାଟରୁ ଦିଲ୍ଲୀ ପର୍ଯ୍ୟନ୍ତ ବିସ୍ତାରିତ ଏକ ପ୍ରାଚୀନ ପର୍ବତମାଳ, ଯାହା ଥର ମରୁଭୂମିକୁ ରୋକିବା ସହ ଜଳ ଉତ୍ସର ସ୍ରୋତ ପାଲଟିଛି।
୮. ଏହି ମାମଲାରେ ପୁରୁଣା କେସ୍ କଣ ରହିଛି ?
ଏହା ୧୯୯୬ ଟିଏନ୍ ଗୋଦାବର୍ମନ ମାମଲା ସହିତ ଜଡିତ, ଯାହାକୁ ଜଙ୍ଗଲର ଏକ ବ୍ୟାପକ ପରିଭାଷା ପ୍ରଦାନ କରିଥିଲା।
୯. ଖଣି ଉପରେ କୌଣସି ନିଷେଧ ଅଛି କି?
ଅଦାଲତ ପୂର୍ବରୁ ଅନେକ ଅଞ୍ଚଳରେ ଖଣି ଖନନକୁ ନିଷେଧ କରିଛନ୍ତି, କାରଣ ଏଥିରେ ପରିବେଶର ବହୁତ କ୍ଷତି ହୋଇଥାଏ, ଯାହାର ଭରଣା କରାଯାଇ ପାରିବ ନାହିଁ।
୧୦. ମାମଲାରେ ପରବର୍ତ୍ତୀ କ’ଣ ହେବ?
ସମସ୍ତ ପକ୍ଷଙ୍କ ପ୍ରତିକ୍ରିୟା ପାଇବା ପରେ, କୋର୍ଟ ଏକ ନିଷ୍ପତ୍ତି ନେବେ, ଯାହା ଆରାବଲୀ ସଂରକ୍ଷଣ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।