ଭୁବନେଶ୍ୱର: ଚଳିତ ବର୍ଷ ଖରିଫ ଋତୁ ଧାନ ବିକ୍ରୟ ପାଇଁ ପ୍ରାୟ ୧୯ ଲକ୍ଷ ୬୮ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । ଏ ନେଇ ବିଧାୟକ ପଦ୍ମ ଲୋଚନ ପଣ୍ଡାଙ୍କୁ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।
ମନ୍ତ୍ରୀଙ୍କ ସୂଚନା ମୁତାବକ, ଚଳିତ ବର୍ଷ ୨୦୨୫-୨୬ ବର୍ଷ ପାଇଁ ଖରିଫ ଋତୁରେ ରାଜ୍ୟରେ ୧୯ ଲକ୍ଷ ୬୭ ହଜାର ୮୧୭ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିଛନ୍ତି । ୨୭୧୨ ଗୋଟି ସମବାୟ ସମିତି, ୪୧୬ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ୬ଟି ପାଣି ପଞ୍ଚାୟତ ଜରିଆରେ ପଞ୍ଜିକରଣ ହୋଇଛି । ସେହିପରି ୨୦୨୪-୨୫ ବର୍ଷରେ ଖରିଫ ଓ ରବି ଋତୁରେ ରାଜ୍ୟରେ ସମୁଦାୟ ୨୦ ଲକ୍ଷ ୮୮ ହଜାର ୯୪୩ ଜଣ ଚାଷୀ, ୨୦୨୩-୨୪ରେ ୨୦ ଲକ୍ଷ ୪୯ ହଜାର ୧୯୦ ଏବଂ ୨୦୨୨-୨୩ରେ ୧୯ ଲକ୍ଷ ୮୮ ହଜାର ୫୮୫ ଜଣ ଚାଷି ପଞ୍ଜିକରଣ କରିଥିଲେ । ଚଳିତ ବର୍ଷ ବରଗଡ଼ ଓ ସମ୍ବଲପୁରରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଧାନ ସଂଗ୍ରହ ପ୍ରକ୍ରିୟା ବିଭିନ୍ନ ଜିଲ୍ଲା ଅନୁଯାୟୀ ଜାନୁୟାରୀ ୧୬ ତାରିଖ ଯାଏ ଚାଲିବ ।
ସେପଟେ ବିଜେଡ଼ି ବିଧାୟକ ବ୍ୟୋମକେଶ ରାଉତଙ୍କ ଆଉ ଏକ ପ୍ରଶ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଉତ୍ତର ରଖିଛନ୍ତି ଯେ ଖରିଫ ଋତୁ ପାଇଁ ୭୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୨୦୨୪-୨୫ ବର୍ଷରେ ୭୩ ଲକ୍ଷ ୪୫ ହଜାର ମେଟ୍ରିକ୍ ଟନ୍ ଖରିଫ ଧାନ ସଂଗ୍ରହ ହୋଇଥିବାବେଳେ ୧୯ ଲକ୍ଷ ୧୮ ମେଟ୍ରିକ୍ ଟନ୍ ରବି ଧାନ ସଂଗ୍ରହ ହୋଇଛି । ଚଳିତ ବର୍ଷ ଧାନ ସଂଗ୍ରହ ପାଇଁ ପ୍ରଥମ ପର୍ୟ୍ୟାୟ ପଞ୍ଜିକରଣ ଜୁଲାଇ ୧୯ ଯାଏ ହୋଇଥିଲା । ଏହା ପରେ ବାଦ୍ ଯୋଗ୍ୟ ଚାଷୀଙ୍କ ପାଇଁ ପୁଣି ଅଗଷ୍ଟ ୨୫ କୁ ପଞ୍ଜିକରଣ ଘୁଞ୍ଚାଇ ଦିଆଯାଇଥିଲା ।
ସେହିପରି ଆଉ ଏକ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ ଉତ୍ତର ରଖିଛନ୍ତି ଯେ ଧାନ ସଂଗ୍ରହ ପାଇଁ ଏଯାବତ୍ ୫ଟି ଜିଲ୍ଲାକୁ ୨ ଲକ୍ଷ ୯୪ ହଜାର ୫୯୪ଟି ଟୋକେନ ଦିଆଯାଇଛି । ବରଗଡ଼ରେ ୭୩, ୬୯୬, ବଲାଙ୍ଗିରରେ ୫୩୦୯୦, କଳାହାଣ୍ଡିରେ ୮୮୬୬୬, ନୂଆପଡ଼ାରେ ୨୯୭୮୬ ଏବଂ ସମ୍ବଲପୁରରେ ୪୯୩୩୩ ଜଣଙ୍କୁ ଟୋକେନ୍ ଦିଆଯାଇଛି । ଶୀଘ୍ର ଅନ୍ୟ ଅଞ୍ଚଳରେ ମଧ୍ୟ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବ' । ଆଗକୁ ଶହେଟି ମଡେଲ ମଣ୍ଡି ଖୋଲିବାକୁ ସରକାର ଯୋଜନା କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।