ନୂଆଦିଲ୍ଲୀ: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଏ ପର୍ଯ୍ୟନ୍ତ ୧୩ଟି ଦଳର ଘୋଷଣା ହୋଇ ସାରିଛି । ଭାରତ ଓ ଶ୍ରୀଲଙ୍କାରେ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ଖେଳା ଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ୍ ୨୦ଟି ଦଳ ଅଂଶଗ୍ରହଣ କରିବେ । ଏଥିରେ ଆୟୋଜକ ଭାରତ ଓ ଶ୍ରୀଲଙ୍କା ସମେତ ମୋଟ୍ ୧୩ଟି ଦଳ ଚୂଡାନ୍ତ ହୋଇ ସାରିଛି । ବାକି ୭ଟି ଦଳର ଘୋଷଣା ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ହୋଇଯିବ । ନିକଟରେ କାନଡାର ଦଳ ଆମେରିକା ରିଜିନରୁ ଯୋଗ୍ୟତା ଅର୍ଜନ କରିଛି । ୟୁରୋପ କ୍ୱାଲିଫାୟର୍ସ ଜରିଆରେ ଦୁଇ ଦଳ ଜୁଲାଇ ୧୧ ସୁଦ୍ଧା ଚୂଡାନ୍ତ ହୋଇଯିବେ । ୨୦୨୬ ଟି-୨୦ ବିଶ୍ୱକପ୍ ଗତ ଟୁର୍ଣ୍ଣାମେଣ୍ଟର ଫର୍ମାଟ୍ ପରି ଖେଳାଯିବ । ୨୦ଟି ଦଳକୁ ୪ଟି ଗ୍ରୁପରେ ବିଭକ୍ତ କରାଯିବ ।
ଆୟୋଜକ ଭାବେ ଭାରତ ଓ ଶ୍ରୀଲଙ୍କା ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ନିଜର ପ୍ରଥମ ଦୁଇଟି ସ୍ଥାନ ସୁନିଶ୍ଚିତ କରି ସାରିଥିଲେ । ଏହା ପରେ ପରବର୍ତ୍ତୀ ୧୦ଟି ସ୍ଥାନ ପାଇଁ ୨୦୨୪ ଟି-୨୦ ବିଶ୍ୱକପର ସୁପର ୮ କ୍ୱାଲିଫୟାର ଏବଂ ୨୦୨୪ ଜୁନ ୩୦ କଟ୍ ଅଫ ଡେଟରେ ଟି-୨୦ ମାନ୍ୟତାରେ ଥିବା ଦଳର ରାଙ୍କିଙ୍ଗ ଆଧାରରେ ଚୂଡାନ୍ତ ହୋଇଥିଲା । ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳା ଯାଇଥିବା ଟି-୨୦ ବିଶ୍ୱକପ୍ ୨୦୨୪ରେ ସୁପର-୮ରେ ପ୍ରବେଶ କାରଣରୁ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ୨୦୨୬ ଟି-୨୦ ବିଶ୍ୱକପରେ ସ୍ଥାନ ପାଇଛନ୍ତି । ଏପରିକି ଆମେରିକା ମଧ୍ୟ ପାକିସ୍ତାନକୁ ହରାଇ ଟପ୍-୮ରେ ପ୍ରବେଶ କରିଥିଲା । ତେଣୁ ଆମେରିକା ମଧ୍ୟ ସ୍ଥାନ ପାଇ ସାରିଛି । ଅନ୍ୟପଟେ ଟି-୨୦ ବିଶ୍ୱକପର ସୁପର ୮ରୁ ବାଦ୍ ପଡିବା ପରେ ପାକିସ୍ତାନ ନ୍ୟୁଜିଲାଣ୍ଡ ଓ ଆୟରଲାଣ୍ଡ ସହିତ ନିଜର ଟି-୨୦ ରାଙ୍କିଙ୍ଗ କାରଣରୁ ବିଶ୍ୱ କପରେ ନିଜର ସ୍ଥାନ ସୁରକ୍ଷିତ କରି ପାରିଛି ।
ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଥିବା ଦଳ- ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, କାନାଡା, ଇଂଲଣ୍ଡ, ଆୟରଲାଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଆମେରିକା ଓ ୱେଷ୍ଟଇଣ୍ଡିଜ । ଅନ୍ୟପଟେ ୭ଟି ସ୍ଥାନ ପାଇଁ ୨୨ଟି ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ଏସିଆ ଓ ପୂର୍ବ ଏସିଆ ରିଜିନରୁ ତିନୋଟି ଦଳ କ୍ୱାଲିଫାଏ କରିବେ । ବାକି ଦୁଇ-ଦୁଇ ଟିମ୍ ୟୁରୋପ ଓ ଆଫ୍ରିକା କ୍ୱାଲିଫାୟରରୁ ଆସିବେ ।