ଗରିବଙ୍କ ସମସ୍ୟାର ସମାଧାନର ରାସ୍ତା ପାଲଟିଛନ୍ତି ଟ୍ୱିଟର ବୟ ମୁକେଶ
Khabar Odisha:Twitter-boy-Mukesh-has-become-the-way-to-solve-the-problems-of-the-poor
Khabar Odisha:22/04/2023

ସୋସିଆଲ ମିଡ଼ିଆ ଅନେକ ଯୁବପୀଢ଼ିଙ୍କୁ ଅବାଟକୁ ନେଇଯାଉଥିବାବେଳେ ମୁକେଶ କିନ୍ତୁ ଏହାର ଠିକ ଉପଯୋଗ କରିଛନ୍ତି | ପ୍ରଥମେ କହିରଖୁଛୁ ଯେ, ମୁକେଶ ଦଳାଇ ହେଉଛନ୍ତି ବାଲେଶ୍ୱରର ଭୋଗରାଇ ବ୍ଲକ ଅନ୍ତର୍ଗତ ସୁନାଧରବସାଣ ଗ୍ରାମର ଜଣେ +3 ଛାତ୍ର । ତାଙ୍କର ବାପା ଜଣେ ଗରୀବ ଚାଷୀ । ମୁକେଶ ପରିବାର କହିଲେ ବାପା,ମା ଓ ତାଙ୍କ ଭାଇମାନେ। ତେବେ 2020 ମସିହା ଫନି ବାତ୍ୟା  ପରଠାରୁ ଗରିବ ଲୋକଙ୍କର ରହିଥିବା ସମସ୍ୟାକୁ ସମାଧାନ କରିବାର ନିଶା ଘାରିଥିଲା ମୁକେଶଙ୍କୁ । ଆଉ ସେବେଠାରୁ ଟ୍ୱିଟରରେ ଟ୍ୱିଟ କରି ସେ ଲୋକଙ୍କ ସମସ୍ୟା ସମାଧାନ କରିବାରେ ଲାଗିପଡିଛନ୍ତି । କେବଳ ଗୋଟିଏ ଟ୍ୱିଟ୍ ମାଧ୍ୟମରେ  ସିଧାସଳଖ ପ୍ରଶାସନ ପାଖରେ ପହଞ୍ଚାଉଛନ୍ତି ଅସହାୟଙ୍କ ସମସ୍ୟା ଖବର |

ଗରିବ ଅସହାୟଙ୍କ ଭତ୍ତା, ପାନୀୟ ଜଳ, ଆବାସ ଯୋଜନା ରେ ଘର ନ ପାଇବା,  ରାସ୍ତାଘାଟ, ବ୍ୟାଙ୍କ, ପୋଷ୍ଟାଲ, ରେଳ, ରାସନ, ବିଦ୍ୟୁତ୍ ସମସ୍ୟା,ଚିକିତ୍ସା ଅଭାବରୁ ପଡ଼ି ରହିଥିବା ରୋଗୀମାନଙ୍କର ସମସ୍ୟାଟିକୁ ସେ ଗୁରୁତ୍ଵ ଦେଇ ଟ୍ୱିଟର ଦ୍ୱାରା ମାତ୍ର କେଇଟା ଦିନ ଭିତରେ ସମାଧାନ କରିଥାନ୍ତି ମୁକେଶ। ତେଣୁ ଟ୍ୱିଟର ହେଉଛି ଗୋଟିଏ ପ୍ଲାଟଫର୍ମ ଯାହାକୁ ସାହାରା ବନାଇ ନେଇଛନ୍ତି ମୁକେଶ। ସେ ଯେ କେବଳ ନିଜ ପାଇଁ ଟ୍ୱିଟ୍ କରନ୍ତି ତାହା ନୁହେଁ ବାଲେଶ୍ଵର ଓ ଅନ୍ୟାନ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସମସ୍ୟା ଲୋକେ  ତାଙ୍କ ପାଖକୁ ନେଇ ଆସିଥାନ୍ତି ଓ ମୁକେଶ ତାଙ୍କ ଟ୍ୱିଟ୍ ମେସେଜ ବକ୍ସ, କଲ୍ କିମ୍ବା ୱାଟସପ୍ ଦ୍ୱାରା ସମସ୍ୟାଗୁଡିକୁ ଜାଣିବା ପରେ ଯଥାଶୀଘ୍ର ତାହାର ସମାଧାନ ଟ୍ୱିଟ୍ ଦ୍ୱାରା କରିଦିଅନ୍ତି। ସେ ହେଉଛନ୍ତି ଟ୍ୱିଟ୍ ର ମ୍ୟାନ ମୁକେଶ ଦଳାଇ ଯିଏ କି ଆଜି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁପାଲଟିଛନ୍ତି। ଟ୍ୱିଟର ମାଧ୍ୟମରେ ସେ ସାତ ହଜାରରୁ ଅଧିକ ସମସ୍ୟା ଟ୍ୱିଟ୍ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ପନ୍ଦର ଶହରୁ ଉର୍ଦ୍ଧ୍ୱ ସମସ୍ୟା ସମାଧାନ କରିସାରିଲେଣି। 

Subscribe

National International State Sports Entertainment