ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସେନାରେ ମହିଳା ଅଧିକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଦେଇଛନ୍ତି। ସ୍ଥଳସେନା, ନୌସେନା ଏବଂ ବାୟୁସେନାରେ ସର୍ଟ ସର୍ଭିସ୍ କମିଶନ ଅଧୀନରେ କାର୍ଯ୍ୟରତ ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଭାରତୀୟ ସେନାରେ ଲିଙ୍ଗଗତ ସମାନତାକୁ ସୁଦୃଢ଼ କରି ଏକ ବଡ଼ ପଦକ୍ଷେପ ସ୍ୱରୂପ, ଆଜି ମହିଳା ଅଧିକାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବା ନେଇ ଘୋଷଣା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ୍ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ନିଜର ବିଶେଷ କ୍ଷମତା ପ୍ରୟୋଗ କରି ଏହି ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ ଭୁଲ ମୂଲ୍ୟାୟନ ଯୋଗୁଁ ସ୍ଥାୟୀ କମିଶନ ପାଇବାରୁ ବଞ୍ଚିତ ମହିଳା ସାମରିକ ଅଧିକାରୀମାନେ ପୂର୍ଣ୍ଣ ପେନସନ୍ ପାଇବାକୁ ହକଦାର। ଏହି ଅଧିକାରୀମାନଙ୍କୁ ସମୟ ପୂର୍ବରୁ ଚାକିରିରୁ ମୁକ୍ତ କରାଯାଇଥିଲେ ମଧ୍ୟ, ପେନସନ ପାଇଁ ଆବଶ୍ୟକୀୟ ଅତି କମରେ ୨୦ ବର୍ଷର ଚାକିରି ପୂରଣ କରିଥିବା ବୋଲି ବିବେଚନା କରାଯିବ।
ବର୍ଷକୁ କେବଳ ୨୫୦ ମହିଳା ଅଧିକାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ନିୟମକୁ କୋର୍ଟ ରଦ୍ଦ କରିଛନ୍ତି। ପୂର୍ବରୁ ମହିଳାମାନଙ୍କୁ ସ୍ଥାୟୀ ନିଯୁକ୍ତି ନଦେବା ପଛରେ ଏକ ପାତରଅନ୍ତର ମନୋଭାବ ରହିଥିଲା। ଯାହା ସେମାନଙ୍କ କ୍ୟାରିୟରରେ ବାଧା ସୃଷ୍ଟି କରୁଥିଲା। ଏହାକୁ ଅଯୌକ୍ତିକ ବୋଲି କହିବା ସହ ଯୋଗ୍ୟ ମହିଳାଙ୍କ ପାଇଁ ଏହା ଏକ ବାଧା ହେବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି।
ଏବେ ଯୋଗ୍ୟତା, ଶାରୀରିକ ସୁସ୍ଥତା ଏବଂ ଶୃଙ୍ଖଳିତ ରେକର୍ଡ ଆଧାରରେ ମହିଳାଙ୍କୁ ସମାନ ସୁଯୋଗ ମିଳିବ। ତାଲିକାଭୁକ୍ତ ହେବା ପରେ ଯେଉଁ ମହିଳା ଅଧିକାରୀମାନେ ପୂର୍ବରୁ ୧୪ ବର୍ଷର ସେବା କରିଥିଲେ ସେମାନଙ୍କୁ ଏବେ ୨୦ ବର୍ଷର ସେବା ଅବଧି ଗଣନା କରି ପେନସନ ସୁବିଧା ପ୍ରଦାନ କରାଯିବ। ଏହି ନିଷ୍ପତ୍ତି ସ୍ଥଳସେନା, ନୌସେନା ଏବଂ ବାୟୁସେନାରେ କାର୍ଯ୍ୟରତ ଶତାଧିକ ମହିଳା ଅଧିକାରୀଙ୍କ ପାଇଁ ଲାଭଦାୟକ ହେବ।
୨୦୧୯ରେ ହୋଇଥିବା ନୀତିଗତ ପରିବର୍ତ୍ତନ ଏବଂ ପୂର୍ବ ସଶସ୍ତ୍ର ବାହିନୀ ଟ୍ରିବ୍ୟୁନାଲ (ଏଏଫଟି) ନିଷ୍ପତ୍ତି ଆଧାରରେ ସ୍ଥାୟୀ କମିଶନ (ପିସି) ପ୍ରତ୍ୟାଖ୍ୟାନକୁ ଚ୍ୟାଲେଞ୍ଜ କରି ୱିଙ୍ଗ କମାଣ୍ଡର ସୁଚେତା ଇଡେନ ଏବଂ ଅନ୍ୟମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ସମେତ ଅନେକ ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।
ପେନସନ ୧ ନଭେମ୍ବର, ୨୦୨୫ ରୁ ଲାଗୁ ହେବ
ସମସ୍ତ SSC ଅଧିକାରୀ, ଯେଉଁମାନେ ୨୦୨୧ରେ ଅବସର ଗ୍ରହଣ କରିଛନ୍ତି, ୨୦ ବର୍ଷର ଯୋଗ୍ୟ ସେବା ପୂରଣ କରିଛନ୍ତି ବୋଲି ବିବେଚନା କରାଯିବ। ଏଥିରେ କୁହାଯାଇଛି ଯେ ଏହି ୨୦ ବର୍ଷର ଡିମ୍ଡ୍ ସର୍ଭିସ୍ ଆଧାରରେ ପେନସନ୍ ନିର୍ଣ୍ଣୟ କରାଯିବ ଏବଂ ଏହା ୧ ନଭେମ୍ବର, ୨୦୨୫ ରୁ କାର୍ଯ୍ୟକାରୀ ହେବ।