ଖବର ଓଡ଼ିଶା: ଆଉ ଚାରି ଦିନ ପରେ ଦେଶ ପାଳିବ ୭୮ ତମ ସ୍ୱାଧୀନତା ଦିବସ । ରାଜଧାନୀ ଦିଲ୍ଲୀରେ ଚାଲିଛି ପ୍ରସ୍ତୁତି । ସ୍ୱାଧୀନତା ଦିବସରେ ହେବାକୁ ଥିବା ପରେଡ୍ ଯୋଗ ଦେବାକୁ ଦିଲ୍ଲୀ ଯିବେ ପୁରୀ ଚନ୍ଦନପୁର ତଳଜଙ୍ଗ ଗାଁର ଆଶା କର୍ମୀ ଶ୍ରୀମତି ସୁକାନ୍ତି ଜେନା । ଏ ନେଇ ତାଙ୍କୁ ନିମନ୍ତ୍ରଣ ଆସିଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟାଳୟରୁ ତାଙ୍କ ନିକଟକୁ ନିମନ୍ତ୍ରଣ ପତ୍ର ଆସିଛି ।
ସୁକାନ୍ତି ଜଣେ ଆଶା କର୍ମୀ । ସବୁବେଳେ ଗାଁର ଲୋକଙ୍କ ସୁବିଧା ଅସୁବିଧାର ସାଥୀ ହୋଇଥିବା ସୁକାନ୍ତିଙ୍କୁ ଦିଲ୍ଲୀରୁ ଡକରା ହୋଇଛି । ସେ ୨୦୦୬ରୁ ଆଶା କର୍ମୀଭାବେ କାର୍ଯ୍ୟ କରୁଛନ୍ତି । କର୍ମକୁ ସେବା ବୋଲି ଭାବି ସେ ଅନେକ ପ୍ରଶଂସା ସାଉଁଟିଛନ୍ତି । ଜାତୀୟ ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ତାଙ୍କୁ ବିଶେଷ ଅତିଥି ଭାବରେ ଯୋଗ ଦେବାକୁ ନିମନ୍ତ୍ରଣ ମିଳିଛି । ସେ ଦିଲ୍ଲୀର ଅନ୍ୟ ଅତିଥିଙ୍କ ଗହଣରେ ବସି ପରେଡ୍ ଉତ୍ସବ ଦେଖିବାର ସୁଯୋଗ ପାଇବେ । ଆସନ୍ତା ୧୩ ଅଗଷ୍ଟରେ ସେ ଓ ତାଙ୍କ ଝିଅ ରାଜଧାନୀ ଏକ୍ସପ୍ରେସ ଯୋଗେ ନୂଆଦିଲ୍ଲୀ ଯାତ୍ରା କରିବେ । ଏଥିପାଇଁ ସେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।