ରେଢ଼ାଖୋଲ: ଯୁବତୀଙ୍କ ହତ୍ୟାକୁ ନେଇ ରେଢ଼ାଖୋଲ ନାକଟିଦେଉଳରେ ଚାପା ଉତ୍ତେଜନା ଲାଗି ରହିଛି । ଝିଅର ମୃତଦେହକୁ ନେବାକୁ ପରିବାର ଲୋକ ମନା କରିଦେଇଛନ୍ତି । ଝିଅକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୁକ୍ତର ପରିବାରକୁ ଗାଁରୁ ବିତାଡ଼ିତ କରିବା ଦାବିରେ ଜିଦରେ ଅଡ଼ି ବସିଛନ୍ତି । ପ୍ରଶାସନର ବୁଝାସୁଝା ପରେ ମଧ୍ୟ ଜିଦରେ ଅଟଳ ପରିବାର ।
ରବିବାର ରେଢ଼ାଖୋଲ ନାକଟି ଦେଉଳ ଅଞ୍ଚଳ ଝାରବେଡ଼ା ଜଙ୍ଗର ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ସେ ଗତ ଶୁକ୍ରବାରଠାରୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ । ପୋଲିସ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲାକୁ ପଠାଇଥିଲା । କିନ୍ତୁ ଝିଅର ମୃତ ଦେହକୁ ପରିବାର ଲୋକେ ଗ୍ରହଣ କରି ନାହାଁନ୍ତି । ଅଭିଯୁକ୍ତର ପରିବାରକୁ ଗାଁରୁ ବହିଷ୍କାର କରିବାକୁ ପାଇଁ ଦାବି କରିଛନ୍ତି । ଝିଅକୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ମୃତ ଦେହକୁ ଧରି ଗାଡ଼ି ଏଠାରୁ ସେଠାକୁ ଘୂରି ବୁଲିଥିଲା । ରେଢ଼ାଖୋଲ ଉପ ଜିଲ୍ଲାପାଳ ଓ ଅତିରିକ୍ତ ଏସପି ମଧ୍ୟ ପରିବାର ଏବଂ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ପରିବାର ଗ୍ରହଣ କରି ନାହିଁ । ପରେ ରେଢ଼ାଖୋଲ ଏନଏସିରେ ଥିବା ଶବ ଦାହ କେନ୍ଦ୍ରରେ ଶବ ସତ୍କାର କରାଯିବାକୁ ସ୍ଥିର ହୋଇଛି ।
ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଯୁବତୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ପୋଷ୍ଟମର୍ଟମରେ ସ୍ପଷ୍ଟ ହୋଇଛି । କିନ୍ତୁ ଦୁଷ୍କର୍ମ ନେଇ ପୋଲିସ କୌଣସି ସୂଚନା ଦେଇ ନାହିଁ । ତେବେ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।