ନୂଆ ଦିଲ୍ଲୀ: କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛି ଦେଶର ପ୍ରଥମ ନାଗରିକ । ମହିଳାଙ୍କ ଉପରେ ବଢ଼ୁଥିବା ଅତ୍ୟାଚାର ପ୍ରସଙ୍ଗରେ ନିଜର କ୍ରୋଧ ଓ ଉଦବେଗ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏକ ସଭ୍ୟ ସମାଜ ନିଜ ଝିଅ ଏବଂ ଭଉଣୀମାନଙ୍କ ପ୍ରତି ଏପରି ଅତ୍ୟାଚାରକୁ ଆଉ ସହ୍ୟ କରିପାରିବ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି ।
ରାଷ୍ଟ୍ରପତି ମୁର୍ମୁ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ଏକ ସାକ୍ଷାତ କରି ଦେଇଛନ୍ତି । ଏହି ସାକ୍ଷାତକାର ରାଷ୍ଟ୍ରପତି ବଳାତ୍କାର ମାମଲାକୁ ନେଇ ଦୁଃଖିତ ଥିବା କହିଛନ୍ତି । ସେ କହିଛନ୍ତି ଯେ ସମାଜକୁ ସଚ୍ଚୋଟ ଏବଂ ନିରପେକ୍ଷ ଭିତ୍ତିଭୂମି ଆବଶ୍ୟକ । ଆମେ ନିଜକୁ କିଛି କଠିନ ପ୍ରଶ୍ନ ପଚାରିବା ଆବଶ୍ୟକତା ରହିଛି । ପ୍ରାୟତଃ ଏକ 'ନିଚ୍ଚ ମାନସିକତା' ମହିଳାମାନଙ୍କୁ କମ୍ ଶକ୍ତିଶାଳୀ, କମ୍ ଦକ୍ଷ ଏବଂ କମ୍ ବୁଦ୍ଧିମାନ ବୋଲି ବିବେଚନା କରେ । ଦିଲ୍ଲୀର ନିର୍ଭୟା ମାମଲାରୁ ଗତ 12 ବର୍ଷ ମଧ୍ୟରେ ଏପରି ଅସଂଖ୍ୟ ବଳାତ୍କାର ଘଟିଛି ଯାହାକୁ ସମାଜ ଭୁଲି ଯାଇଛି । ରାଷ୍ଟ୍ରପତି ଏହାକୁ 'ସାମୂହିକ ସ୍ମୃତିଲୋପ' ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ।
ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ ଯେଉଁ ସମାଜ ସେମାନଙ୍କର ଇତିହାସକୁ ସାମ୍ନା କରିବାକୁ ଭୟ କରୁଛନ୍ତି ସେମାନେ ସାମୂହିକ ସ୍ମୃତିଶକ୍ତି ହରାଇବା ଉପାୟକୁ ବ୍ୟବହାର କରନ୍ତି । ବର୍ତ୍ତମାନ ସମୟ ଆସିଛି ଯେ ଭାରତ ଏହାର ଇତିହାସକୁ ସଚ୍ଚୋଟତାର ସହ ସାମ୍ନା କରିବ । ଗୋଟିଏ ପଟେ ଛାତ୍ର, ଡାକ୍ତର ଏବଂ ନାଗରିକମାନେ କୋଲକାତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଅନ୍ୟ ପଟେ ଅପରାଧୀମାନେ ନିର୍ଭୟରେ ବୁଲୁଥିଲେ । ଏ ଘଟଣା ମୋତେ ସ୍ତବ୍ଦ ଓ ଭୟଭୀତ କରିଛି । କୌଣସି ସଭ୍ୟ ସମାଜ ନିଜର ଝିଅ ଏବଂ ଭଉଣୀମାନଙ୍କ ପ୍ରତି ଏପରି ବର୍ବରତାକୁ ସହ୍ୟ କରିପାରିବ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି ।