ନୂଆଦିଲ୍ଲୀ, ଜାନୁଆରୀ ୧୫ (ଖବର ଓଡ଼ିଶା) :
ଏସିଡ୍ ଆକ୍ରମଣ ପୀଡିତାଙ୍କ ପାଇଁ ଉତ୍ତରାଖଣ୍ଡ ସରକାର ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଉତ୍ତରାଖଣ୍ଡରେ ଏସିଡ୍ ଆକ୍ରମଣ ପୀଡିତାଙ୍କୁ ପେନସନ୍ ମିଳିବ ବୋଲି ଘୋଷଣା କରାଯାଇଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରେଖା ଆର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି।
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରେଖା ଆର୍ଯ୍ୟ କହିଛନ୍ତି ଯେ, ସରକାର ଏକ ପେନ୍ସନ୍ ସ୍କିମ୍ ଆରମ୍ଭ କରୁଛନ୍ତି। ଯେଉଁଥିରେ ସବୁ ମାସରେ ଏସିଡ୍ ଆକ୍ରମଣ ପୀଡିତା ଝିଅମାନଙ୍କୁ ୫୦୦୦-୬୦୦୦ଟଙ୍କା ଦିଆଯିବ। ଯାହାଦ୍ୱାରା ସେ ତାଙ୍କ ଜୀବନକୁ ସ୍ୱାଭିମାନର ସହ ବଞ୍ଚି ପାରିବେ।
ବଲିଉଡ୍ ଫିଲ୍ମ 'ଛପାକ୍' ସମଗ୍ର ଦେଶରେ ଏସିଡ୍ ଆକ୍ରମଣ ପୀଡିତାଙ୍କ ପାଇଁ ଏକ ଗଭୀର ସ୍ଥାନ ସୃଷ୍ଟି କରିଛି। ଏହି ଫିଲ୍ମ ଲକ୍ଷ୍ମୀ ଅଗ୍ରୱାଲ୍ଙ୍କ ଜିବନୀ ଉପରେ ଆଧାରିତ ହୋଇଛି। ନିକଟରେ ଏହି ଫିଲ୍ମକୁ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଛତିଶଗଡ଼ର ସରକାର ଟିକସ ମୁକ୍ତ କରିଛନ୍ତି। ଏହି ଫିଲ୍ମର ଛାପ ଏବେ ଉତ୍ତରାଖଣ୍ଡ ସରକାରଙ୍କ ଉପରେ ପକାଇଥିବା ଦେଖାଯାଇଛି। ଛପାକ ଫିଲ୍ମରେ ସମାଜରେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ମହିଳାମାନଙ୍କୁ ନେଇ ଏକ ସକାରାତ୍ମକ ବାର୍ତ୍ତା ଦେଇଛି। ସେମାନଙ୍କ ଯନ୍ତ୍ରଣା, ଆତ୍ମବିଶ୍ୱାସ, ସଂଘର୍ଷ, ଆଶା ଓ ବଞ୍ଚିବାର ଅଦମ୍ୟ ଇଚ୍ଛାକୁ ନେଇ ଫିଲ୍ମଟି ପ୍ରସ୍ତୁତ ହୋଇଛି। ଆଉ ଏଭଳି ଘଟଣାଗୁଡ଼ିକରେ ସମାଜକୁ କିଭଳି ନିଜ ଚିନ୍ତାଧାରା ବଦଳାଇବାକୁ ହେବ, ସେ ବାର୍ତ୍ତା ବି ଏ ଫିଲ୍ମରେ ରହିଛି।