ଜାତୀୟ ଶିଶୁ କନ୍ୟା ଦିବସ : କଣ ସତରେ ନାରୀ ଆଉ ଦୁର୍ବଳା, ନିଷ୍ପଷିତ,ନିର୍ଯ୍ୟାତିତ ହୋଇ ନାହିଁ, ତେବେ ଅଲୋଡା ଶବ୍ଦ କାହା ପାଇଁ ?
Khabar Odisha:national-odisha-national-girl-child-day
ଭୁବନେଶ୍ଵର, ଜାନୁଆରୀ ୨୪ (ଖବର ଓଡ଼ିଶା) :

ଆଜି ଜାତୀୟ ଶିଶୁ କନ୍ୟା ଦିବସ। ଜାତୀୟ ସ୍ତରରେ ଏହି ଦିବସକୁ ଶିଶୁକନ୍ୟାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଉଛି। କୁହାଯାଏ କନ୍ୟା ନୁହେଁ ତ ମା ନୁହେଁ, ମା ନୁହେଁ ତ ଜୀବନ ନୁହେଁ। କୁହନ୍ତି କନ୍ୟା ରତ୍ନ ସହ ସମାନ, କନ୍ୟାକୁ କନ୍ୟା ରତ୍ନ ମଧ୍ୟ କୁହନ୍ତି। ଏଥିପାଇଁ ବିବାହ ସମୟରେ ପିତା ତାର କନ୍ୟା ରୂପି ରତ୍ନକୁ ଦାନ ଦେଇ ପୁଣ୍ୟ ଅର୍ଜନ କରିଥାଏ। ଯଦି ନାରୀର ସ୍ଥାନ ଏତେ ଉଚ୍ଚରେ ତେବେ ଏଠି କଥା ଉଠୁଛି କଣ ଅବଳା ଆଉ ଦୁର୍ବଳା ହୋଇ ନାହିଁ। କଣ ସମାଜରେ ନାରୀ ଆଉ ଅବହେଳିତ, ନିଷ୍ପଷିତ, ନିର୍ଯ୍ୟାତିତ ହୋଇ ନାହିଁ? କଣ ସତରେ ନାରୀ ସଶସ୍ତ୍ରୀକରଣ ହୋଇ ସାରିଛି। ଆଜିର ଦିନରେ ଏହି ସବୁ ପ୍ରଶ୍ନ ଖାଲି ଆମ ମନରେ ନୁହେଁ ସମସ୍ତଙ୍କ ମନରେ ଉଠୁଛୁ। 

ପୁରୁଷ ପ୍ରଧାନ ସମାଜରେ କୁହାଯାଉଛି ନାରୀକୁ ସ୍ଵତନ୍ତ୍ର ସ୍ଥାନ ଦିଆଯାଇଛି। କିଛି ସ୍ଥାନରେ ଲେଡିଜ୍ ଫାଷ୍ଟ ଉକ୍ତିଟି ଶୁଣି ହସ ଲାଗୁଛି। କାରଣ ବାସ୍ତବରେ ଆଜି ବି ନାରୀ ଅବହେଳିତ, ନିଷ୍ପେସିତ, ନିର୍ଯ୍ୟାତିତ। ଆଜି ମଧ୍ୟ ନାରୀକୁ ତାହାର ସ୍ଥାନ ମିଳିପାରି ନାହିଁ। ଆଜି ମଧ୍ୟ ନାରୀ ପୁରୁଷ ସହ ଗୌଣ ହେଉ ନାହିଁ। କୁହାଯାଉଛି ପୂର୍ବ ଅପେକ୍ଷା ଏବେ ସମାଜରେ ନାରୀଙ୍କ ପାଇଁ ସମସ୍ତଙ୍କ ଆଭିମୁଖ୍ୟ ବଦଳିଛି। କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ପୂର୍ବରୁ ନାରୀ ଯେମିତି ନିର୍ଯ୍ୟାତିତ ହେଉଥିଲା ଏବେ ବି ସେମିତି ନିର୍ଯ୍ୟାତିତ। ଯଦି ବଦଳିଛି ତେବେ ପରିବର୍ତ୍ତନ ହୋଇଛି ନିର୍ଯ୍ୟାତନା ଦେବାର ଢାଞ୍ଚା। ଯେମିତି ଆଗରୁ ସତୀଦାହ ପ୍ରଥା ହେଉଥିଲା ଏବେ ନର ରାକ୍ଷସମାନେ ଦୁଷ୍କର୍ମ କରି ଜିଅନ୍ତା ଜାଳି ଦେଉଛନ୍ତି। ଘରେ, ବାହାରେ, କର୍ମକ୍ଷେତ୍ରରେ ଆଜି ନାରୀ କେଉଁଠି ବି ସୁରକ୍ଷିତ ନୁହଁନ୍ତି। କର୍ମଜୀବି ତାର ସହକର୍ମୀଙ୍କ ଲୋଲୁପ ଦୃଷ୍ଟିରୁ ବଞ୍ଚିବାକୁ ଚେଷ୍ଟା କରୁଛି ତ ନବବଧୂ ଯୌତୁକ ହତ୍ୟାରୁ ବର୍ତ୍ତିବାକୁ, ସେପଟେ ସ୍ତ୍ରୀଟିଏ ତାର ମଦ୍ୟପ ସ୍ଵାମୀ ଠାରୁ ବର୍ତ୍ତିବାକୁ ଚେଷ୍ଟା କରୁଛି। ଏପରିକି ଆଖି ନଖୋଲିବା ପୂର୍ବରୁ ନାମ ଦିଆଯାଉଛି ଅଲୋଡା ଶିଶୁକନ୍ୟା। ଏଠି ବାଳିକାଗୃହ କନ୍ୟାମାନଙ୍କ ପାଇଁ ଅସୁରକ୍ଷିତ, ବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନରେ ଛାତ୍ରୀମାନେ ଅସୁରକ୍ଷିତ। 

ଯଦି ଆମେ ବିଭିନ୍ନ ସରକାରୀ ରିପୋର୍ଟ ଦେଖିବା ତେବେ ଶିକ୍ଷା, ସ୍ଵାସ୍ଥ୍ୟ କ୍ଷେତ୍ରରେ ଆଜି ବି ମହିଳା ଅବହେଳିତ। ଜାତିସଙ୍ଘର ରିପୋର୍ଟ ଅନୁଯାୟୀ, ୧୦ ବର୍ଷ ମଧ୍ୟରେ ନାରୀଙ୍କ ପ୍ରତି ନିର୍ଯ୍ୟାତନା ଉଦବେଗଜନିତ ଭାବେ ବୃଦ୍ଧି ପାଇଛି। ୧୨ କୋଟି କନ୍ୟା ସନ୍ତାନଙ୍କ ମଧ୍ୟରୁ ୧୦ ଲକ୍ଷ ସେମାନଙ୍କ ପ୍ରଥମ ଜନ୍ମବାର୍ଷିକୀ ଦେଖି ପାରନ୍ତି ନାହିଁ। ପରୁଷଙ୍କ ସାକ୍ଷରତା ହାର ୮୨ ପ୍ରତିଶତ ତୁଳନାରେ ମହିଳାଙ୍କର ୬୨ ପ୍ରତିଶତ ରହିଛି। ଏଭଳି ସ୍ଥିତିରେ ନାରୀଙ୍କ ପ୍ରତି ବୃଦ୍ଧି ପାଉଥିବା ଅନ୍ୟାୟ ଅତ୍ୟାଚାର ଉପରେ ରୋକ ଲଗାଇବାକୁ ପଡିବ। ଏଥିପାଇଁ ସମସ୍ତଙ୍କୁ ସଚେତନ ହେବାକୁ ପଡିବ। ଏକ ସୁସ୍ଥ ସମାଜ ଗଠନ କରିବାକୁ ପଡିବ।  

Subscribe

National International State Sports Entertainment