ଖବର ଓଡ଼ିଶା: ବେଙ୍ଗାଲୁରୁର ଏକ ପିଜିରେ ରହୁଥିବା ଯୁବତୀଙ୍କ ହତ୍ୟା ମାମଲାରେ ପୋଲିସକୁ ସଫଳତା ମିଳିଛି । ପୋଲିସ ହତ୍ୟାକାରୀକୁ ମଧ୍ୟ ପ୍ରଦେଶରୁ ଗିରଫ କରିଛି । ପ୍ରେମିଯୁଗଳଙ୍କ ଭିତରେ ମଧ୍ୟସ୍ତି ହେଉଥିବାରୁ ରାଗରେ ପ୍ରେମିକ ଯୁବତୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ହତ୍ୟା ପରେ ଅଭିଯୁକ୍ତ ମଧ୍ୟପ୍ରଦେଶ ଚାଲି ଯାଇଥିଲା ।
ପୋଲିସ ସୂଚନା ମୁତାବକ, ମୃତ କ୍ରୀତି କୁମାରୀ ବିହାରର ବାସିନ୍ଦା ଥିଲେ । ସେ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନିରେ ଚାକିରି କରିଥିଲେ । ସେଠାରେ ଏକ ପିଜିରେ ଜଣେ ଯୁବତୀଙ୍କ ସହ ରହୁଥିଲେ । ଉକ୍ତ ଯୁବତୀଙ୍କର ଅଭିଯୁକ୍ତ ଅଭିଷେକ ସହିତ ପ୍ରେମ ସମ୍ପର୍କ ଥିଲା । ଅଭିଷେକ କିଛି ଚାକିରି କରୁନଥିବାରୁ କ୍ରୀତିଙ୍କ ସାଙ୍ଗ ଓ ଅଭିଷେକ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା । କ୍ରୀତି ସବୁବେଳେ ପ୍ରେମୀ ଯୁଗଳଙ୍କର ଝଗଡ଼ାର ସମାଧାନ କରୁଥିଲେ । ନିଜ ସାଙ୍ଗକୁ ଅଭିଷେକଙ୍କଠାରୁ ଦୂରେଇ ଯିବାକୁ ପରାମର୍ଶ ଦେଉଥିଲେ । ବାରମ୍ବାର ଝଗଡ଼ା ହେଉଥିବା ଦେଖି କ୍ରୀତି ନିଜର ରହୁଥିବା ସ୍ଥାନ ବଦଳାଇ ଦେଇଥିଲେ ।
ମଙ୍ଗଳବାର ରାତିରେ ଅଭିଷେକ କ୍ରୀତି ରହୁଥିବା ପିଜିକୁ ଆସି ତାଙ୍କୁ ଆକ୍ରମଣ କରିଥିଲା । ଧାରୁଆ ଛୁରୀରେ ଯୁବତୀ ଜଣକ ଗଳା କାଟିବା ସହ ତାଙ୍କ ପେଟରେ ଛୁରୀ ଭୁଶି ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଘଟଣା ପରେ ଅଭିଯୁକ୍ତ ଜଣକ ମଧ୍ୟ ପ୍ରଦେଶକୁ ଫେରାର ହୋଇଯାଇଥିଲା ।