ଭୁବନେଶ୍ୱର: ବିଜେପି ପ୍ରାର୍ଥୀ ମମତା ମହାନ୍ତ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଓଡ଼ିଶାର ଗୋଟିଏ ଆସନ ପାଇଁ ସେ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ବିନା ମତଦାନରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବିଧାନସଭାରେ ପହଞ୍ଚି ସାର୍ଟିଫିକେଟ ନେଇଛନ୍ତି ମମତା ମହାନ୍ତ । ତାଙ୍କର ପ୍ରତିଦ୍ୱନ୍ଦି ଜଗନ୍ନାଥ ପ୍ରଧାନ ନାମାଙ୍କନ ପତ୍ର ପ୍ରତ୍ୟାହାର କଲାପରେ ମମତା ଏହି ବିଜୟ ହାସଲ କରିଛନ୍ତି ।
ଗତ ୨୧ ତାରିଖ ଦିନ ମମତା ମହାନ୍ତ ନାମାଙ୍କନ ଭରିଥିଲେ । ଏହା ପରେ ଜଗନ୍ନାଥ ପ୍ରଧାନ ରାଜ୍ୟସଭା ଉପନିର୍ବାଚନ ପାଇଁ ସ୍ୱାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଭରିଥିଲେ । ତେବେ ଆଜି ପ୍ରଧାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ମମତା ନିର୍ବାଚିତ ହୋଇଛନ୍ତି ।
ମମତା କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ । ୨୦୨୦ ମସିହାରେ ସେ ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ହୋଇଥିଲେ । ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ । ବିଜେଡିରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଦଳ ଛାଡିଥିଲେ ମମତା । ଏହାପରେ ବିଜେପିରେ ସାମିଲ ହେବା ସହ ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ । ବିଧାନସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ଅଧିକ ଥିବାରୁ ସେ ରାଜ୍ୟସଭାକୁ ଯିବା ଏକ ପ୍ରକାର ସୁନିଶ୍ଚିତ ଥିଲା ।