କଳାହାଣ୍ଡି, ସେପ୍ଟେମ୍ବର ୨୭ (ଖବର ଓଡ଼ିଶା):
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗଣଦୁଷ୍କର୍ମ ଘଟଣା ଏବେ ଭିନ୍ନ ମୋଡ଼ ନେବାକୁ ଯାଉଛି । ଯାହାକୁ ପୋଲିସ ମୁଖ୍ୟ ସାକ୍ଷୀ ଭାବେ ଗ୍ରହଣ କରି ତଦନ୍ତ ଆଗକୁ ବଢ଼ାଉଛି ପୀଡ଼ିତା ତାହାକୁ ମୁଖ୍ୟ ଅଭିଯୁକ୍ତ କହିଛନ୍ତି । ଯଦି ଲିଫ୍ଟ ଦେଇଥିବା ଡ୍ରାଇଭର ଲଳିନ୍ଦ୍ର ଶବରଙ୍କୁ ଛଡ଼ାଯିବ ତାହା ହେଲେ ସିଏ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଗଣଦୁଷ୍କର୍ମର ଶୀକାର ହୋଇଥିବା ପୀଡ଼ିତା ଆଜି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଯାହା ସମସ୍ତଙ୍କୁ ସ୍ତମ୍ଭୀଭୂତ କରି ଦେଇଛି । ତାଙ୍କୁ ଲିଫ୍ଟ ଦେଇଥିବା ଡ୍ରାଇଭର ଲଳିନ୍ଦ୍ର ଶବର ହିଁ ମୁଖ୍ୟ ଅଭିଯୁକ୍ତ ଅଟନ୍ତି । ସେ ହିଁ ପ୍ରଥମେ ଦୁଷ୍କର୍ମ କରିଥିଲା ଏବଂ ତା’ ପରେ ଅନ୍ୟମାନେ କରିଥିଲେ । ସେ ଯେତେବେଳେ ବାଟରେ ନେଇକି ଆସୁଥିଲା ତା’ ମୋବାଇଲ ଫୋନ୍କୁ ବାରମ୍ବାର କଲ୍ ଆସୁଥିଲା । ସିଏ ଜଲଦି ପହଁଚୁଛି ବୋଲି କହୁଥିଲା । ଏହା ପରେ ଏ ଘଟଣା ଘଟିଛି । ତାଙ୍କୁ ଛାଡ଼ି ଦେବାକୁ ପୋଲିସ ପ୍ରୟାସ କରୁଛି । ଯଦି ତାଙ୍କୁ ଛାଡ଼ି ଦିଆଯାଏ ତାହା ହେଲେ ସିଏ ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।
ତେବେ ପୀଡ଼ିତାଙ୍କ ବୟାନ କଳାହାଣ୍ଡି ଏସ୍ପିଙ୍କ ସୂଚନା ଠାରୁ ସମ୍ପୂର୍ଣ୍ଣ ଓଲଟା । ଏସ୍ପି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଲଳିନ୍ଦ୍ରକୁ ସ୍ତ୍ରୀ ବାରମ୍ବାର କଲ୍ କରୁଥିଲା । ତା’ର କୌଣସି ସଂପୃକ୍ତି ନାହିଁ । ସେ ଘଟଣାର ହେଉଛି ମୁଖ୍ୟ ସାକ୍ଷୀ ବୋଲି ଏସ୍ପି କହିଥିଲେ । ଏହା ସହିତ ଲଳିନ୍ଦ୍ରକୁ ମଧ୍ୟ ଛାଡ଼ି ଦିଆଯାଇଛି ।