ଭୁବନେଶ୍ୱର/କେନ୍ଦ୍ରାପଡ଼ା: ବ୍ଲକ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳାଙ୍କୁ ନିର୍ଯ୍ୟାତନା ଏବଂ ଗର୍ଭସ୍ଥ ଶିଶୁର ମୃତ୍ୟୁ ମାମଲାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ମାମଲାର ନିରପେକ୍ଷ ତଦନ୍ତ କରିବାକ ନିର୍ଦ୍ଦେଶ ଦେଇଛନ୍ତି ପ୍ରଭାତୀ ପରିଡ଼ା । ଏହା ସହିତ ସିଡିପିଓ ସ୍ନେହଲତା ସାହୁଙ୍କୁ କାର୍ଯ୍ୟରୁ ଅପସାରଣ କରାଯାଇଛି ।
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ କିରାଣୀଙ୍କୁ ମାନସିକ ନିର୍ଯ୍ୟାତନା ଦେବା ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି ସିଡିପିଓ ସ୍ନେହଲତା ସାହୁ । ତାଙ୍କର ଅବହେଳା ଯୋଗୁଁ କାର୍ଯ୍ୟରତ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କ ୭ ମାସର ଗର୍ଭ ନଷ୍ଟ ହେବା କାରଣରୁ ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ସିଡିପିଓ ସ୍ନେହଲତା ସାହୁଙ୍କୁ ବ୍ଲକ କାର୍ଯ୍ୟାଳୟରୁ ଅପସାରଣ କରାଯାଇଛି । ଏହା ସହିତ ମାମଲାର ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ । ନିରପେକ୍ଷ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଘଟଣାର ନିରପେକ୍ଷ ଏବଂ ତ୍ୱରିତ ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷରେ ଏହି ମାମଲାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଛି । ତଦନ୍ତ ପାଇଁ ଏକ ତିନି ଜଣିଆ ଟିମ୍ ବ୍ଲକରେ ପହଁଚିଛନ୍ତି ।
କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ବରିଷ୍ଠ କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ୭ମାସର ଗର୍ଭବତୀ ଥିଲେ । ଗତ ଶୁକ୍ରବାର କାର୍ଯ୍ୟାଳୟରେ ବର୍ଷାଙ୍କର ହଠାତ୍ ଗର୍ଭ ଯନ୍ତ୍ରଣା ହୋଇଥିଲା । ସେ ଡାକ୍ତରଖାନା ଯିବା ପାଇଁ ସିଡିପିଓଙ୍କୁ ଅନୁମତି ମାଗିଥିଲେ । ମାତ୍ର ତାଙ୍କୁ ଅନୁମତି ନ ଦେଇ ଓଲଟା ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଏମିତିକି ତାଙ୍କୁ ମେଡ଼ିକାଲ ମଧ୍ୟ ନେଇ ନ ଥିଲେ । ଶେଷରେ ଚେତା ହରାଇ ପଡ଼ିଯାଇଥିଲେ କନିଷ୍ଠ କିରାଣୀ ।
କନିଷ୍ଠ କିରାଣୀଙ୍କ ପରିବାର ଲୋକ କାର୍ଯ୍ୟାଳୟରେ ପହଁଚିବା ପରେ ତାଙ୍କୁ ମଧ୍ୟ ଗାଳି ଗୁଲଜ କରିଥିଲେ । ଏମିତି ତାଙ୍କ ମୋବାଇଲ ଫିଙ୍ଗି ଦେବା ସହିତ ହାତ ମଧ୍ୟ ଉଠାଇଥିବା ଅଭିଯୋଗ ହୋଇଛି । ପରିବାର ଲୋକ ତାଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଗର୍ଭସ୍ଥ ଶିଶୁକୁ ମୃତ ଘୋଷଣା କରିଥିଲେ । ଶକ୍ତ ଆଘାତ ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଥିବା ସେ କହିଛନ୍ତି ଡାକ୍ତର ।
ସିଡିପିଓ ସ୍ନେହଲତା ସାହୁ ତଳିଆ କର୍ମଚାରୀଙ୍କୁ ଦୀର୍ଘ ୩ ବର୍ଷ ହେଲାଣି ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ତାଙ୍କ ଇସାରରେ କାମ କରିବାକୁ କର୍ମଚାରୀଙ୍କୁ ବାଧ୍ୟ କରୁଥିଲେ । ଏ ନେଇ କନିଷ୍ଠ କିରାଣୀ ଉପରସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇଛନ୍ତି । କିନ୍ତୁ କେହି କର୍ଣ୍ଣପାତ କରି ନ ଥିଲେ । ଆଉ ଏହି ନିର୍ଯ୍ୟାତନା ଚରମ ସୀମାରେ ପହଁଚିଥିଲା ।