ଧୀରେ ଧୀରେ ଶାନ୍ତ ହେଉଥିବା ମଣିପୁର ପରିସ୍ଥିତି ପୁଣି ଥରେ ବିଗିଡ଼ିବାରେ ଲାଗିଛି। ହିଂସ୍ର ପଶୁ ଠାରୁ ବି ବଳିଗଲା ମଣିଷ | ହିଂସାଗ୍ରସ୍ତ ମଣିପୁରରେ ଘଟିଛି ଅତି ବର୍ବରତା ହିଂସାକାଣ୍ଡ | ମଣିପୁରର ରାଜଧାନୀ ଇମ୍ଫାଲଠାରୁ ପ୍ରାୟ ୩୪ କିଲୋମିଟର ଦୂରରେ ଥିବା କାଙ୍ଗପୋକପି ଜିଲ୍ଲାରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ । ଏପରିକି ଦୁଇ ମହିଳାଙ୍କୁ ପରେ ଗଣଦୁଷ୍କର୍ମ କରାଯାଇଥିବା ମଧ୍ୟ କୁହାଯାଉଛି । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାପରେ ମଣିପୁର ପୁରୁଷଙ୍କ ପୁରୁଷତ୍ୱ ଉପରେ ଉଠିଛି ପ୍ରଶ୍ନ ? ୨ ମାସ ତଳର ଏକ ଭିଡିଓ ଏବେ ଭାଇରାଲ ହେଉଥିବାବେଳେ ଏହାକୁ ନେଇ ସମଗ୍ର ରାଜ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି । ଭିଡିଓଟିରେ ଦୁଇ ଜଣ ମହିଳାଙ୍କୁ କେତେକ ଲୋକ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଚଲାଇ ଚଲାଇ ନେବା ସହ ଅସଦାଚରଣ କରୁଥିବା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସୂଚନାନୁଯାୟୀ, ଆଜି ଇଣ୍ଡିଜିନସ୍ ଟ୍ରାଇବାଲ ଲିଡର୍ସ ଫୋରମ(ITLF)ର ପ୍ରଦର୍ଶନ ହେବା ପୂର୍ବର ଯୋଜନାବଦ୍ଧ ଭାବେ ଏହି ଭିଡିଓକୁ ଭାଇରାଲ କରାଯାଇଥିବା କୁହାଯାଉଛି । ଭାଇରାଲ ହୋଇଥିବା ଭିଡିଓଟି ଗତ ମେ' ମାସ ୪ ତାରିଖର ବୋଲି ଜଣାପଡିଛି । ଏହି ଘଟଣାର ଗୋଟିଏ ଦିନ ପୂର୍ବରୁ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଆରମ୍ଭ ହୋଇଥିଲା । ମଣିପୁରର କାଙ୍ଗକୋପି ଜିଲ୍ଲାରେ ୨ ମହିଳାଙ୍କୁ ନିବସ୍ତ୍ର କରି ଚାଷ ଜମିରେ ଟଣାଓଟରା କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ପୀଡ଼ିତା ମହିଳାଦ୍ୱୟ କୁକି ଜନଜାତିର ହୋଇଥିବାବେଳେ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ବ୍ୟକ୍ତି ମୈତି ସମ୍ପ୍ରଦାୟର ବୋଲି ଜଣାପଡିଛି । ପୀଡ଼ିତ ମହିଳାଙ୍କୁ ବନ୍ଧା ଯାଇ ଚଲାଇ ଚଲାଇ ରାସ୍ତାରେ ନେଉଥିବାବେଳେ ସେମାନେ ଉଦ୍ଧାର ପାଇଁ କାନ୍ଦି କାନ୍ଦି କାକୁତି ବିନତି କରୁଥିଲେ ବି କେହି ସାହାଯ୍ୟ ପାଇଁ ଆଗକୁ ଆସି ନଥିଲେ। ଘଟଣାର ମାସେ ପରେ ଗତ ଜୁନ୍ ୨୧ ତାରିଖରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଜୁଲାଇ ମାସରେ ଏହାର ଭିଡିଓ ଭାଇରାଲ ହୋଇଛି। ମଣିପୁର ପୋଲିସ ଏହି ଘଟଣାଟିକୁ ଗୁରୁତର ସହ ନେଇଛି ।
ଏହି ଘଟଣାକୁ ନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବୀରେନ ସିଂ କହିଛନ୍ତି, ସରକାର ଏହି ଭିଡିଓର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା ଚଳାଇଛନ୍ତି। ଦୋଷୀଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି। ମାମଲାର ପ୍ରାଥମିକତା ଭିତ୍ତିରେ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମଣିପୁରରେ ସଂରକ୍ଷଣକୁ ନେଇ ଦୁଇ ସମ୍ପ୍ରଦାୟ କୁକି ଓ ମେଇତି ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା । ଏଥିଯୋଗୁଁ ବ୍ୟାପକ ହିଂସା ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ସେପଟେ ମଣିପୁର ଭିଡିଓ ଭାଇରାଲକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ୱିଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏହି ଭିଡିଓ ଭାଇରାଲ ହେବା ଦ୍ୱାରା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିଲା ।