ଓଡିଶା ଇତିହାସରେ ପୁଣି ଥରେ ସ୍ଵର୍ଣାକ୍ଷରରେ ଲିପିବଦ୍ଧ ହେଲା ନୂତନ ଗୌରବର ସ୍ୱର୍ଣ୍ଣ ଅଧ୍ୟାୟ । ପ୍ରଥମ ଥର ପାଇଁ ଗଠନ ହୋଇଥିବା ଭାରତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍ ଦଳରେ ସ୍ଥାନ ପାଇଥିବା ଓଡ଼ିଶାର ୪ କ୍ରିକେଟର ଫୁଲ ସୋରେନ୍, ବାସନ୍ତୀ ହାଂସଦା, ଝିଲି ବିରୁଆ ଓ ପଦ୍ମିନୀ ଟୁଡୁଙ୍କୁ ଦୃଷ୍ଟିହୀନ କ୍ରିକେଟ୍ ସଂଘ (କାଭି) ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ମହିଳା ଓ ଶିଶୁ ବିକାଶ ସମାଜ ଓ ରୋଟାରି ଇ କ୍ଲବ୍ ମିଳିତ ଆନୁକୂଲ୍ୟରେ ଭୁବନେଶ୍ବର ବୁଦ୍ଧ ମନ୍ଦିର ପରିସରରେ ହୋଇଥିବା ସମ୍ବର୍ଦ୍ଧନା ସମାରୋହରେ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମହିଳା ଓ ଶିଶୁ ବିକାଶ ସମାଜ ଅଧ୍ୟକ୍ଷ ମେଜର କଳ୍ପନା ଦାସ, ରୋଟାରି ଜିଲ୍ଲା ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି, ରୋଟାରୀ ଇ କ୍ଲବ୍ ସଭାପତି ଚିଦାତ୍ମିକା ଖଟୁଆ, ଆଇଆଇଜି ସ୍ପୋର୍ଟ୍ସ ଏକାଡେମୀ ନିର୍ଦ୍ଦେଶକ ଚିନ୍ମୟ ପ୍ରଧାନ, ପ୍ରଶାନ୍ତ କୁମାର ପୁହାଣ, କାଭି ସଭାପତି ଜାଫର ଇକବାଲ୍, ସମ୍ପାଦକ ସନ୍ୟାସୀ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ତେବେ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍ ସାଳବଣିଗ୍ରାମର ଫୁଲ ସୋରେନ୍ ତାଙ୍କ ପରିବାରର ଏକମାତ୍ର ସଦସ୍ୟ ଭାବେ ଉଚ୍ଚଶିକ୍ଷା ଲାଭ କରିଛନ୍ତି। ୨୦୧୮ରୁ ଓଡ଼ିଶା ଦଳରେ ଖେଳୁଥିବା ଫୁଲ ବି-୩ ଅଲରାଉଣ୍ଡର ଭାବେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ତାଙ୍କ ଜିଲ୍ଲାର ଭୋଗରାଇ ବ୍ଲକ୍ ଖଡ଼ିବିଲ ଗ୍ରାମର ପଦ୍ମିନୀଙ୍କ ବାପା ଜଣେ ଦିନ ମଜୁରିଆ। ଏହାସତ୍ତ୍ବେ ସେ ବି-୧ ଖେଳାଳି ଭାବେ କ୍ରିକେଟ୍ ଖେଳିଆସୁଛନ୍ତି। ଦଶମ ଶ୍ରେଣୀରେ ପଢୁଥିବା ପଦ୍ମିନୀ ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ଉଭୟ ଫୁଟ୍ବଲ ଓ କ୍ରିକେଟ୍ରେ ନିଜ ରାଜ୍ୟକୁ ପ୍ରତିନିଧିତ୍ବ କରିସାରିଛନ୍ତି। ମୟୂରଭଞ୍ଜ ଉଦାଳା ବ୍ଲବ୍ର ମାର୍ଗପଲ୍ଲୀସ୍ଥିତ ବାସନ୍ତୀ ହାଂସଦା ମଧ୍ୟ ଏକ ଗରିବ ପରିବାରରୁ ଆସିଛନ୍ତି। ଜଣେ ଭଲ ବ୍ୟାଟର ସହ ଭଲ କ୍ଷେତ୍ରରକ୍ଷକ ଭାବେ ସେ ରାଜ୍ୟ ଦଳରେ ଜଣାଶୁଣା। ତାଙ୍କ ଯୋଗୁଁ ଓଡ଼ିଶା ୨୦୧୯ ଓ ୨୦୨୩ରେ ଜାତୀୟ ବିଜେତା ହୋଇପାରିଥିଲା। କେନ୍ଦୁଝର ହାଟଡିଆ ବ୍ଲବ୍ ଝଣଝଣା ଗ୍ରାମର ଝିଲି ମଧ୍ୟ ଅତ୍ୟନ୍ତ ସଂଘର୍ଷ କରି ଏତେ ଉପରକୁ ଉଠିଛନ୍ତି। ଝିଲିଙ୍କ ପରିବାର କହିଲେ ଦୁଇ ଭାଇ ଓ ଜଣେ ଭଉଣୀ। ସେ ଛୋଟ ଥିଲା ବେଳେ ତାଙ୍କ ମା’ ସେମାନଙ୍କୁ ଛାଡ଼ି ଚାଲିଯାଇଥିଲେ। ଗତ କୋଭିଡ୍ ମହାମାରୀରେ ତାଙ୍କ ବାପାଙ୍କୁ ମଧ୍ୟ ସେ ହରାଇସାରିଛନ୍ତି। ବାପା-ମା’ ଛେଉଣ୍ଡ ହୋଇଯିବା ପରେ ଏହି ମହାମାରୀ ସମୟରେ ବୁଢୀ ମା’ ତାଙ୍କୁ ପାଳୁଥିଲା ବେଳେ ପରିବାର ପୋଷଣ ପାଇଁ ଝିଲି ଦିନ ମଜୁରିଆ ଭାବେ କାମ କରୁଥିଲେ। ପୂର୍ବରୁ ଓଡ଼ିଶାରୁ ୬ ଜଣ ପୁରୁଷ ଖେଳାଳି ଭାରତ ପକ୍ଷରୁ ଖେଳିସାରିଥିଲା ବେଳେ ଏବେ ଉକ୍ତ ୪ ମହିଳା ଖେଳାଳି ଏହି ତାଲିକା ମଣ୍ଡନ କରିଛନ୍ତି। ଆସନ୍ତା ୧୬ ତାରିଖରେ ଏମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ଓ ଗୁରୁଗ୍ରାମଠାରେ ଭାରତୀୟ ଦଳର ଅଭ୍ୟାସ ଶିବିରରେ ସାମିଲ ହେବେ ଏବଂ ୨୩ ତାରିଖରେ ଭାରତୀୟ ଦଳ ନେପାଳ ଗସ୍ତ କରିବା ସହିତ ସେଠାରେ ଭାରତ ୫ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ ବୋଲି ସୂଚନା ମିଳିଛି ।