Khabar Odisha:25/04/2023
ୱ୍ୱିଙ୍ଗ୍ କମାଣ୍ଡର ଦୀପିକା ମିଶ୍ରା ପ୍ରାକୃତିକ ବିପର୍ଯ୍ୟୟ ସମୟର ପ୍ରତିକୂଳ ପରିସ୍ଥିତିରେ ଅସୀମ ସାହସ ପ୍ରଦର୍ଶନ କରି ବହୁ ଧନ ଜୀବନ ରକ୍ଷା କରିଥିବାରୁ ତାଙ୍କୁ 'ଏୟାର ଫୋର୍ସ ମେଡାଲ୍ (ଗାଲାଣ୍ଟ୍ରି)' ବା 'ବାୟୁସେନା ମେଡାଲ(ବୀରତା)' ପ୍ରଦାନ କରାଯାଇଛି। ଏହି ବୀରତା ସମ୍ମାନ ପାଇବାର ଗୌରବ ଅର୍ଜନ କରିବାରେ ଦୀପିକା ହେଉଛନ୍ତି ଦେଶର ପ୍ରଥମ ମହିଳା ବାୟୁସେନା ଅଧିକାରୀ। ଏପ୍ରିଲ ୨୦ ତାରିଖ ଦିନ ଦିଲ୍ଲୀର ସୁବ୍ରୋତୋ ପାର୍କସ୍ଥିତ ବାୟୁସେନା ସଭାଗାର ଠାରେ ଆୟୋଜିତ ଅଳଙ୍କରଣ ସମାରୋହରେ ଭାରତୀୟ ବାୟୁସେନାର ମୁଖ୍ୟ ଏୟାର ଚିଫ୍ ମାର୍ସଲ୍ ବିବେକ ରାମ ଚୌଧରୀ ଦୀପିକାଙ୍କୁ ବାୟୁସେନା ମେଡାଲ୍ ସମ୍ମାନରେ ସମ୍ମାନିତ କରିଛନ୍ତି।
ଭାରତୀୟ ସେନା ଅଧିକାରୀମାନଙ୍କ କହିବା ମୁତାବକ, ୨୦୨୧ ମସିହା ଅଗଷ୍ଟ ମାସରେ ଉତ୍ତର ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ଅଚାନକ ବନ୍ୟା ପରିସ୍ଥିତି ଦେଖାଦେଇଥିଲା। ଏଇ ସମୟରେ ୱିଙ୍ଗ୍ କମାଣ୍ଡର ଦୀପିକା ମିଶ୍ରାଙ୍କୁ ସେଇ ଅଞ୍ଚଳର ମାନବ ସମ୍ବଳର ସୁରକ୍ଷା ତଥା ବିପର୍ଯ୍ୟୟ ପ୍ରଶମନ ଓ ରିଲିଫ୍ ପରିଚାଳନା ନିମନ୍ତେ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ଅତ୍ୟନ୍ତ ଖରାପ ପାଗ, ଜୋରଦାର ପବନ ତଥା ସୂର୍ଯ୍ୟାସ୍ତ ସମୟର ସ୍ୱଳ୍ପାଲୋକ ଭଳି ପ୍ରତିକୂଳ ପରିସ୍ଥିତିକୁ ଖାତିର ନ କରି ପ୍ରଥମ ଓ ଏକମାତ୍ର ଉଦ୍ଧାରକାରୀ ଅଧିକାରୀ ଭାବେ ଦୀପିକା ସେଠାରେ ପହଞ୍ଚି ଥିଲେ। ସମ୍ପୃକ୍ତ ବନ୍ୟା ପରେ ଉଦ୍ଧାର କାର୍ଯ୍ୟ ଅନ୍ତର୍ଗତ ଦୀପିକା ଲଗାତାର ୮ଦିନ ଧରି ଲୋ' ହୋଭରି° ପିକ୍-ଅପ୍ ଓ ୱିନ୍ସି° (low hovering pick-ups and wincing) କରି ଅନ୍ତତଃ ୪୭ ଜଣଙ୍କ ଜୀବନ ରକ୍ଷା କରିଥିଲେ। କେବଳ ମୂଲ୍ୟବାନ ଜୀବନଗୁଡ଼ିକର ରକ୍ଷା କରି ନଥିଲେ ଦୀପିକା, ବିପଦ ସମୟରେ ଲୋକମାନଙ୍କୁ ସାହସ ନ ହରେଇବା ପାଇଁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ମଧ୍ୟରେ ଏକ ସୁରକ୍ଷିତ ଭାବନା ସୃଷ୍ଟି କରାଇବାରେ ସହାୟକ ହୋଇଥିଲେ।
ହେଲିକପ୍ଟର ପାଇଲଟ୍ ଦୀପିକା ମିଶ୍ରା ହେଉଛନ୍ତି ରାଜସ୍ଥାନର ବାସିନ୍ଦା। ୨୦୦୬ ମସିହା ଡିସେମ୍ବରରେ ଏୟାର ଫୋର୍ସ ଏକାଡେମୀରୁ ଦୀପିକା ଜଣେ କମିଶନଡ୍ ଅଫିସର ଭାବେ ପାସ୍ ଆଉଟ୍ ହେଲା ପରେ ପ୍ରଥମେ ସର୍ଟ୍ ସର୍ଭିସ୍ କମିଶନ୍ ଅଧୀନରେ ତାଙ୍କୁ ବାୟୁସେନାରେ ସାମିଲ କରାଯାଇଥିଲା।ବାୟୁସେନାର ଜଣେ ମୁଖପାତ୍ରଙ୍କ କହିବା ଅନୁସାରେ ମଧ୍ୟପ୍ରଦେଶରେ ଭୀଷଣ ବନ୍ୟା ପରିସ୍ଥିତି ସମୟରେ ଦୀପିକାଙ୍କ ଅସୀମ ସାହସ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଏହି ମେଡାଲ୍ ପ୍ରଦାନ କରାଯାଇଛି।