କେନ୍ଦ୍ରାପଡ଼ା: ପୁଣି ଥରେ ଗୁରୁ ନାଁରେ କଳଙ୍କ ଲାଗିଛି । ଗୋଟିଏ ଛାତ୍ରୀ ଉପରେ ୪ ଜଣ ଶିକ୍ଷକ ଲୋଲୁପ ଦୃଷ୍ଟି ପକାଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରୁ ଏଭଳି ଏକ ଲଜ୍ଜାଜନକ ଖବର ଆସିଛି । ୪ ଜଣ ଶିକ୍ଷକ ଗୋଟିଏ ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ସେମାନଙ୍କୁ ପୁଣି ଜଣେ ମହିଳା ସହାୟିକା ସାହାଯ୍ୟ କରୁଥିଲେ । ଏ ନେଇ ରାଜକନିକା ଥାନାରେ ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ରାଜକନିକାର ଏକ ଘରୋଇ ବିଦ୍ୟାଳୟରେ ଜଣେ ଛାତ୍ରୀ ସପ୍ତମ ଶ୍ରେଣୀରେ ପଢ଼ନ୍ତି । ତାଙ୍କର ବୟସ ମାତ୍ର ୧୨ ବର୍ଷ । ଉକ୍ତ ବିଦ୍ୟାଳୟର ୪ ଜଣ ଶିକ୍ଷକ ଦୀର୍ଘ ଦିନ ହେବ ଛାତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଆସୁଥିଲେ। ଖେଳ ଛୁଟି ସମୟରେ ବିଦ୍ୟାଳୟର ଛାତ ଉପରକୁ ଡାକି ନେଇ ଏଭଳି ଘୃଣ୍ୟ କାମ କରିଆସୁଥିଲେ ଶିକ୍ଷକ । ଏପରିକି ଉକ୍ତ ୪ଜଣ ଶିକ୍ଷକଙ୍କୁ ସହଯୋଗ କରୁଥିଲେ ସ୍କୁଲର ଜଣେ ଶିକ୍ଷୟିତ୍ରୀ । ଯେଉଁଥିରେ ଅତିଷ୍ଠ ହୋଇ ଛାତ୍ରୀ ଜଣକ ନିଜ ପରିବାରକୁ ଜଣାଇଥିଲେ । ପରିବାର ପକ୍ଷରୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲୁ ସି ) ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଏକ ଚାରି ଜଣିଆ ଟିମ ପୀଡ଼ିତାଙ୍କ ଘରେ ପହଞ୍ଚିବା ସହିତ ତାଙ୍କର ବୟାନ ରେକର୍ଡ କରିଛନ୍ତି । ତତସହିତ ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି ।
ଅଭିଯୋଗ ପରେ ପୋଲିସ ପକ୍ସୋ ଆଇନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସହାୟିକାଙ୍କ ସମେତ ୫ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । କେନ୍ଦ୍ରାପଡ଼ା ଘଟଣାର ନିଜେ ତଦାରଖ କରିବେ ବୋଲି କହିଛନ୍ତି । ଏସପି ନିଜେ ପୀଡ଼ିତାଙ୍କୁ ଭେଟି ମାମଲାର ଯାଞ୍ଚ କରିବେ ବୋଲି କହିଛନ୍ତି ।