ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଉପରେ ପ୍ରଶ୍ନବାଚୀ: ସିଂହଦ୍ୱାର ଗୁମୁଟ ପାର୍ଶ୍ୱରେ ଫାଟ, ଭାଙ୍ଗିଯାଉଛି ପ୍ରାଚୀନ ମୂର୍ତ୍ତି
Khabar Odisha:Puri-Jagannath-Temple-is-on-dangerous-situation
ଖବର ଓଡିଶା : 11/02/2023

ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟ ପାର୍ଶ୍ବରେ ବଡ଼ବଡ଼ ଫାଟ ଦେଖିବାକୁ ମିଳିଛି। ପଥର ସନ୍ଧିରେ ଫାଟ ଏତେ ବଡ ହୋଇଛି ଯେ, ସେଥିରେ ସରୀସୃପ ବାସ କରୁଥିବା ଆଶଙ୍କା କରାଯାଉଛି । କେବଳ ଫାଟ ନୁହେଁ, ଯେଉଁ ପ୍ରାଚୀନ ମୂର୍ତ୍ତି ଲାଗିଛି, ତାହା ବି ଭାଙ୍ଗିଗଲାଣି। ହେଲେ ଏଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ କି ଭାରତୀୟ ପ୍ରତ୍ନତତ୍ୱ ବିଭାଗର ନଜର ନାହିଁ । ତେଣୁ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣାକୁ ନେଇ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ୧୯୭୫ ମସିହାରୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) ବହୁ ପ୍ରାଚୀନ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ତୁଲାଇ ଆସୁଛି। ପୂର୍ବରୁ ଶ୍ରୀମନ୍ଦିର ଉପରେ ଲାଗିଥିବା ଚୂନର ମୋଟା ଆସ୍ତରଣକୁ ବିପଦ ବୋଲି ଏଏସଆଇ ଦର୍ଶାଇବା ପରେ ମାମଲା କୋର୍ଟକୁ ଯାଇଥିଲା । ଏହା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୩୦ ବର୍ଷ ତଳୁ ଶ୍ରୀମନ୍ଦିରର ଚୁନ ଛଡାଇ ସ୍ୱତନ୍ତ୍ର କେମିକାଲ ଲଗାଯାଇଛି । ତଥାପି ଶ୍ରୀମନ୍ଦିର ଉପରୁ ବିପଦ ଟଳିନି। ମଝିରେ ମଝିରେ ବଡ଼ବଡ଼ ପଥର ଖଣ୍ଡ ଖସି ଶ୍ରୀମନ୍ଦିର ଅସୁରକ୍ଷିତ ବୋଲି ଦର୍ଶାଇ ଦେଉଛି। ସିଂହଦ୍ବାରରେ ପ୍ରବେଶ ପଥର ବାମପାର୍ଶ୍ବ ସିଂହ ମୂର୍ତ୍ତି କଡ଼ ଉପରିଭାଗରେ ପଥରରେ ଫାଟ ପରେ ଏଭଳି ଏକାଧିକ ଫାଙ୍କ ଦେଖିବାକୁ ମିଳିଛି। ଦେଖା ଦେଇଥିବା ଏକ ବଡ଼ ଫାଟ ଆକାର ଦେଖିଲେ, ଏହାର ଲମ୍ବ ପ୍ରାୟ ଦୁଇଫୁଟ ହୋଇଥିବାବେଳେ ଚଉଡ଼ା ପ୍ରାୟ ୪/୫ ଇଞ୍ଚ ହେବ। ସେହିଭଳି ଯେଉଁ ପ୍ରାଚୀନ ଦେବଦେବୀ ମୂର୍ତ୍ତି ଲାଗିଛି, ସେଥିରୁ କାହାର ଆଣ୍ଠୁଠାରୁ ପାଦ ପର୍ଯ୍ୟନ୍ତ ପଥର ଗଳି ପଡ଼ିଲାଣି ତ କାହାର ମୁହଁ ଗଳି ପଡ଼ିଲାଣି। ଏଭଳି ସ୍ଥିତିରେ ସିଂହଦ୍ବାର ପ୍ରବେଶ ପଥର ବାମପାର୍ଶ୍ବରେ ପଥରରେ ବଡ଼ବଡ଼ ଫାଙ୍କ ସୃଷ୍ଟି ହେବା ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି କରିଛି।

Subscribe

National International State Sports Entertainment