ଭୁବନେଶ୍ୱର: ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ-ସିଆଇଡି ଡିଜି ତଥା କାର୍ଯ୍ୟକାରୀ ଆରକ୍ଷୀ ମହାନିର୍ଦ୍ଦେଶକ ଆଇପିଏସ୍ ବିନୟତୋଷ ମିଶ୍ର ଖୁବ ଶୀଘ୍ର ଅବସର ନେବାକୁ ଯାଉଛନ୍ତି । ଚଳିତ ମାସ ୩୦ ତାରିଖରେ ଡିଜିପି ମିଶ୍ର ଅବସର ଗ୍ରହଣ କରିବେ । ସେ ୬୦ ବର୍ଷ ବୟସ ପୂରଣ କରୁଥିବାରୁ ଅବସର ନେବାକୁ ରାଜ୍ୟ ଗୃହ ବିଭାଗ ଅନୁମତି ପ୍ରଦାନ କରିଛି ।
୧୯୬୬ ମସିହା ନଭେମ୍ବର ୩୦ ତାରିଖରେ ଆଇପିଏସ୍ ବିନୟତୋଷ ମିଶ୍ର ଜନ୍ମ ଗ୍ରହଣ କରିଥିଲେ । ୧୯୯୩ ବ୍ୟାଚ୍ ଓଡ଼ିଶା କ୍ୟାଡର୍ ଆଇପିଏସ୍ ଅଫିସର ଶ୍ରୀଯୁକ୍ତ ମିଶ୍ର ତିନି ଦଶନ୍ଧି ହେବ ପୋଲିସ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ସେ ବର୍ତ୍ତମାନ ଓଡ଼ିଶା ପୋଲିସ ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ସେ ମେକାନିକାଲ୍ ଇଞ୍ଜିନିୟରିଂ ପଢ଼ା ଶେଷ କରିବା ପରେ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ୨୦୨୦ରେ ଏସସିଆରବି ଏଡିଜିପି ଓ ୨୦୨୫ରେ କ୍ରାଇମବ୍ରାଞ୍ଚ ଡିଜି ଭାବେ ପଦୋନ୍ନତି ପାଇଥିଲେ ।
ତାଙ୍କର ଦୀର୍ଘ ୩୩ବର୍ଷର କାର୍ଯ୍ୟକାଳ ମଧ୍ୟରେ ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଆନ୍ତରୀକ ସୁରକ୍ଷା ସେବା ପଦକ (୨୦୧୭), ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ (୨୦୧୬), ସାହାସିକତା ପାଇଁ ପୋଲିସ ପଦକ (୨୦୦୯) ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।
ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି କେବେ ?
ସେପଟେ ଓଡ଼ିଶା ପୋଲିସ ଡିଜିପି ପଦବୀ ନିଯୁକ୍ତିକୁ ନେଇ ଏବେବି ଅଡ଼ୁଆ ତୁଟିନାହିଁ । ତେଣୁ ବିନୟତୋଷଙ୍କ ପରେ କିଏ ଏହି ଆସନରେ ବସିବେ ତାହା ଆଲୋଚ୍ୟର ବିଷୟ । ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ଡିଜିପି ନିଯୁକ୍ତିକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ-ସିଆଇଡି ଡିଜି ଦାୟିତ୍ୱରେ ଥିବା ବିନୟତୋଷ ମିଶ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଥିଲେ । ଅଗଷ୍ଟ ୧୬ ତାରିଖରେ ବିନୟତୋଷ ମିଶ୍ର ରାଜ୍ୟ ପୋଲିସର କାର୍ଯ୍ୟକାରୀ ଡିଜିପି ଭାବେ କାର୍ଯ୍ୟ କରିଆସୁଛନ୍ତି ।
ଡିଜିପି ନିଯୁକ୍ତି ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି । ଅକ୍ଟୋବର ୨୯ ତାରିଖରେ ସୁପ୍ରିମକୋର୍ଟ ଡିଜିପି ନିଯୁକ୍ତି ମାମଲାର ଶେଷ ଶୁଣାଣି କରିଛନ୍ତି । ଆସନ୍ତା ନଭେମ୍ବର ୨୬ ତାରିଖରେ ମାମଲାର ରାୟ ପ୍ରକାଶ ପାଇବ । ଏହା ପରେ ତୁରନ୍ତ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଡିଜିପି ଚୟନ ଓ ଘୋଷଣା କରାଯିବାର ସମ୍ଭାବନା ରହିଛି ।