କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ମିଳିଛି ଜାମିନ । ଓଆରଏଚଡିସି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ମୋକିମଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆବେଦନକୁ ଗ୍ରହଣ କରିବା ପରେ ଭିଜିଲାନ୍ସକୁ କୋର୍ଟ ନୋଟିସ କରିଛନ୍ତି । ଏହି ମାମଲାରେ ମୋକିମ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଦ୍ୱାରସ୍ତ ହୋଇଥିଲେ । ଓଆରଏଚଡିସି ମାମଲାରେ ଭିଜିଲାନ୍ସ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ ହାଇକୋର୍ଟ । ମୋକିମଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ କରିଥିଲେ ।
ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନ ସମୟରେ ଶ୍ରୀ ମୋକିମଙ୍କ ନାମାଙ୍କନପତ୍ର ନିର୍ଦ୍ଧାରିତ ନିୟମ ଅନୁଯାୟୀ ଦାଖଲ ହୋଇନଥିଲା । ଜନ ପ୍ରତିନିଧି ଆଇନର ଧାରା ୩୩, କଣ୍ଡକ୍ଟ ଅଫ୍ ଇଲେକ୍ସନ ରୁଲ୍ସ, ୧୯୬୧ର ନିୟମ ୪ ଓ ଭାରତର ନିର୍ବାଚନ କମିସନଙ୍କ ନିର୍ଦ୍ଦେଶନାମା ଉଲ୍ଳଂଘନ କରି ରିଟର୍ଣ୍ଣିଂ ଅଫିସର ଶ୍ରୀ ମୋକିମଙ୍କ ନାମାଙ୍କନପତ୍ର ଗ୍ରହଣ କରିଥିଲେ ଯେଉଁଥିରେ ଶ୍ରୀ ମୋକିମ ନାମାଙ୍କନପତ୍ରରେ ଆବଶ୍ୟକ ତଥ୍ୟ ଉଲ୍ଲେଖ କରି ନଥିଲେ । ଜନପ୍ରତିନିଧି ଆଇନର ଧାରା ୩୬ରେ ପ୍ରଦତ୍ତ କ୍ଷମତା ଅନୁସାରେ ଯାଞ୍ଚ ସମୟରେ ରିଟର୍ଣ୍ଣିଂ ଅଫିସର ଶ୍ରୀ ମୋକିମଙ୍କ ନାମାଙ୍କନପତ୍ର ଖାରଜ କରିବା ଉଚିତ ଥିଲା । ନାମାଙ୍କନ ବେଳେ ଶ୍ରୀ ମୋକିମ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ବିରୋଧରେ ଥିବା ୧୩ଟି ଅପରାଧିକ ମାମଲା ସଂକ୍ରାନ୍ତରେ ଉପଯୁକ୍ତ ତଥ୍ୟ ଓ ସଂପୂର୍ଣ୍ଣ ଘୋଷଣାନାମା ଦେଇ ନଥିଲେ । ଏଭଳି ସ୍ଥିତିରେ ବାରବାଟୀ-କଟକ ବିଧାନସଭା ଆସନରୁ ଶ୍ରୀ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉଛି ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରିଥିଲେ ।
ଅଧିକ ପଢ଼ନ୍ତୁ : ଚୈତ୍ର ପୂର୍ଣ୍ଣିମାରେ କାହିଁକି ହୁଏ ଘୋଡା ନାଚ ?