ବରଗଡ଼: ବରଗଡ଼ର ଜଣେ ପ୍ରତିଷ୍ଠିତ ସୁନା ଗହଣା ବ୍ୟବସାୟୀଙ୍କୁ ପଶ୍ଚିମବଙ୍ଗ ପୋଲିସ ଉଠାଇ ନେଇଛି । ନ୍ୟୁ ଡାଁୱାର ଜୁଏଲର୍ସର ମାଲିକ ହେମନ୍ତ ବର୍ମାଙ୍କୁ କୋଲକାତା ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି।
କୋଲକାତା ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଦାନୱାର ଜୁଏଲର୍ସର ମାଲିକ ହେମନ୍ତ ବର୍ମା କୋଲକାତାରୁ ଲକ୍ଷାଧିକ ଟଙ୍କାର ସୁନା ଆଣି ବ୍ୟବସାୟ କରିଛନ୍ତି । କିନ୍ତୁ ସେ ଟଙ୍କା ଦେଇ ନ ଥିବା ଅଭିଯୋଗ ହୋଇଛି । ଟଙ୍କା ନ ଦେବାରୁ କୋଲକାତା ବ୍ୟବସାୟୀ ହେମନ୍ତଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ପରେ କୋଲକାତା ପୋଲିସ ବରଗଡ଼ରେ ପହଁଚି ସ୍ଥାନୀୟ ପୋଲିସ ସହାୟତାରେ ହେମନ୍ତଙ୍କୁ ଗିରଫ କରିଛି । ଏହି ଟିମରେ କୋଲକାତା ପୋଲିସ ଏସଆଇ ପ୍ରଶାନ୍ତ କର ଦାଶ ଏବଂ ଏସଆଇ କବିତା ସାମନ୍ତ ପ୍ରମୁଖ ସାମିଲ ଅଛନ୍ତି । କୋଲକତା ପୋଲିସ ସୁନା ଦୋକାନୀଙ୍କୁ ଗିରଫ କରି ରାତି ଅଧରେ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ନେଇଥିବା ସୂଚନା ମିଳିଛି ।