ତାତିରୁ ମିଳୁନି ତ୍ରାହି । ଅସହ୍ୟ ତାତି ଓ ଗୁଳୁଗୁଳିରେ ରାଜ୍ୟବାସୀ ଅତିଷ୍ଠ ହୋଇପଡିଲେଣି । ଲଗାତାର ୮ ଦିନ ହେବ ଅସହ୍ୟ ତାତିରେ ସାରା ଓଡିଶା ଜଳୁଛି । କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ଆଂଶିକ ହ୍ରାସ ଘଟିଥିଲେ ମଧ୍ୟ ଗୁଳୁଗୁଳିରୁ ତ୍ରାହି ମିଳୁନି । ୧୭ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଗତକାଲି ରାଜ୍ୟର ସବୁଠୁ ଉତପ୍ତ ସହର ପାଲଟିଥିଲା ଭୁବନେଶ୍ୱର । ତେବେ ଉତର ପଶ୍ଚିମ ଓ ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବାହିତ ଶୁଶ୍କ ବାୟୁ ଓ ସୂର୍ଯ୍ୟଙ୍କ ପ୍ରଖର ତେଜରେ ତାପମାତ୍ରା ବୃଦ୍ଧି ପାଉଛି । ଏବଂ ଆଗାମୀ ୨୪ ଘଂଟା ଯାଏଁ ପାଗରେ ସାମାନ୍ୟ ପରିବର୍ତନ ସମ୍ଭାବନା ଥିବା ସୂଚନା ମିଳିଛି । ତେବେ କାଳ ବୈଶାଖୀ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏବଂ ତାପମାତ୍ରା ସାମାନ୍ୟ କମିବା ନେଇ ସମ୍ଭାବନା ରହିଥିବା ବେଳେ ଆସନ୍ତା ୨୫ ତାରିଖ ବେଳକୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆହୁରି ବଢିବ । ଏବଂ ୨୬ ତାରିଖ ବେଳକୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇ ପ୍ରଚଣ୍ଡ ତାତି ଅନୁଭୂତ ହେବ । ଏନେଇ ୯ ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ତେବେ କାଳବୈଶାଖୀ ପ୍ରଭାବରେ ଆଗାମୀ ୩ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ହ୍ରାସ ପାଇା ନେଇ ସମ୍ଭାବନା ରହିଛି । ଏବଂ ୧୫ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଓ ଘଡଘଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୩ ରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା , ମୟୂରଭଂଜ , କେନ୍ଦୁଝର , ବରଗଡ, ଝାରସୁଗୁଡା , ଓ ସୁନ୍ଦରଗଡରେ ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ବର୍ଷା ହୋଇପାରେ । ୨୪ ରେ ରାୟଗଡା , ଗଜପତି , ଗଂଜାମ କୋରାପୁଟ ଓ ମାଲକାନଗିରିର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଥିବା ଜଣାପଡିଛି ।