କେନ୍ଦୁଝର: ଜିଲ୍ଲାର ସରକାରୀ ଡ଼ିଗ୍ରୀ ଇଞ୍ଜିନିୟରିଂ କଲେଜରେ ରାଗିଂ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୪ ଜଣ ଛାତ୍ରଙ୍କୁ ଏକ ବର୍ଷ ପାଇଁ କଲେଜରୁ ନିଲମ୍ବିତ କରାଯାଇଛି । ଅନ୍ୟ ଜଣେ ଛାତ୍ର ପୂର୍ବରୁ ନିଲମ୍ବିତ ହୋଇଥିଲେ । ୫ ଜଣ ଅଭିଯୁକ୍ତ ଛାତ୍ରଙ୍କୁ କଲେଜ କର୍ତ୍ତୃପକ୍ଷ ଥାନାର ଜିମା ଦେଇଥିବା ଜଣାପଡ଼ିଛି ।
ସରକାରୀ ଇଞ୍ଜିନିୟରିଂ କଲେଜରେ ଜଣେ ୨ୟ ବର୍ଷର ମାଇନିଂ ଛାତ୍ରଙ୍କୁ ମାଡ଼ ମରା ଯାଇଥିବାର ନେଇ ଅଭିଯୋଗ ହୋଇଥିଲା । ରାତି ଅଧରେ ୫ ଜଣ ସିନିଅର ଛାତ୍ର ହଷ୍ଟେଲ ଭିତରେ ଜୁନିୟର ଛାତ୍ରଙ୍କ କବାଟ ଭାଙ୍ଗି ତାଙ୍କ ରୁମରେ ପଶି ଲୁହା ରଡ୍ ଏବଂ ବାଡ଼ିରେ ପିଟିଥିଲେ । ଫଳରେ ଜୁନିୟର ଛାତ୍ର ଜଣକ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏ ନେଇ ପୀଡ଼ିତ ଛାତ୍ରଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଛାତ୍ର ଜଣକ ପୂର୍ବରୁ ରାଗିଂର ଶିକାର ହୋଇଥିବା ବେଳେ ଏନେଇ ସେ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ କିନ୍ତୁ କଲେଜ କର୍ତୃପକ୍ଷ କୌଣସି ପଦକ୍ଷେପ ନେବା ବଦଳରେ ସେମାନଙ୍କୁ ଚେତାବନୀ ଦେଇ ଛାଡ଼ି ଦେଇଥିଲେ। କଲେଜ କର୍ତୃପକ୍ଷଙ୍କ ନିରବତା ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।