ଭୁବନେଶ୍ୱର: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଆଜିର ଦିନରେ ସୂର୍ଯ୍ୟ ଦେବାତାଙ୍କର ଉତ୍ତରାୟଣ ଗତି ହୋଇଥାଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ଭିଡ଼ିଅ ପୋଷ୍ଟ କରି ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିଠାରୁ ସୂର୍ଯ୍ୟଦେବ ଉତ୍ତରାୟଣ ହୋଇଥାଆନ୍ତି ଏବଂ ଆମ ସଂସ୍କୃତି ଓ ପରମ୍ପରା ଅନୁସାରେ ତାଙ୍କର ଉପାସନାରୁ ପରିବାର ମଙ୍ଗଳ ଓ ସମୃଦ୍ଧି ହୋଇଥାଏ । ଏହା ଦେଶରେ ଏକ ଅନନ୍ୟ ପରମ୍ପରା । ଶ୍ରୀଜଗନ୍ନାଥ ସଂସ୍କୃତିରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହା କେବଳ ଧର୍ମୀୟ ଉତ୍ସବ ନୁହେଁ ବରଂ ଏହା ଏକ ଭାଇଚାରା, ସାମାଜିକ ସଦଭାବର ଓ ଏକତାର ପ୍ରତୀକ । ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରିଦେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଅନ୍ୟପକ୍ଷରେ ଏହି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି । ରତ୍ନସିଂହାସନରେ ମକରଚୌରାଶୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଏହି ବେଶରେ ମକର ଚୁଳ ଲଗାଯିବାର ପରମ୍ପରା ରହିଛି। ମକର ବେଢ଼ା ଓ ମକର ଚାଉଳ ଭୋଗ ହେବା ପାଇଁ ଏକ ବୃହଦକାୟ ମକର ତାଡ଼ ହେବାର ପରମ୍ପରା ମଧ୍ୟ ରହିଛି । ସେହିପରି ଅନ୍ୟ ଦେବାଳୟରେ ମଧ୍ୟ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି ।