ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ବିଜେପି ନେତୃତ୍ଵାଧୀନ ରାଜ୍ୟ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ସରକାର ଆଗାମୀ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ କୃଷି ବିଭାଗ ପାଇଁ ମୋଟ ୩୭,୮୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଚଳିତ ଆର୍ଥିକ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ ।
କୃଷି ଓ କୃଷକଙ୍କ ସଶକ୍ତୀକରଣ ପାଇଁ ମୋଟ ୧୪, ୭୦୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସମୃଦ୍ଧ କୃଷକ ଯୋଜନାରେ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ତୁଳନାରେ ଅଧିକ ଅର୍ଥ ଇନପୁଟ ସହାୟତା ଆକାରରେ ପ୍ରଦାନ କରାଯାଉଛି ଫଳରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ୍ ପିଛି ୩୧୦୦ ଟଙ୍କାକୁ ବୃଦ୍ଧି ପାଇଛି । ଯାହା ଦ୍ୱାରା ୧୩ ଲକ୍ଷ ଚାଷୀ ଉପକୃତ ହୋଇ ସାରିଛନ୍ତି । ଚଳିତ ଖରିପ ଋତୁରେ ଫେବ୍ରୁଆରି ୧୫ ସୁଦ୍ଧା ମୋଟ ୪୫୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିସାରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୋଟ ୬ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯିବ ।
ସେହିପରି ପିଏମ୍ କିଶାନକୁ ସିଏମ କିଶାନରେ ସମିଶ୍ରଣ କରାଯାଇଛି । ଏଥିପାଇଁ ଚଳିତ ବଜେଟରେ ମୋଟ ୨୦୨୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଆଳୁ ଚାଷ ପାଇଁ ଏହି ମିଶନରେ ୧ ଲକ୍ଷ ୮୦ ହଜାର କୃଷକଙ୍କୁ ସାମିଲ କରାଯିବ । ଏହି ମିସନରେ ଚଳିତ ରବି ଋତୁରେ ମୋଟ ୧ ଲକ୍ଷ ୬୦ ହଜାର କ୍ୱିଣ୍ଟାଲ୍ ବିହନ ଯୋଗାଇ ଦିଆଯାଇଛି । ଫସଲ ବିବିଧତା ପାଇଁ ୬୯୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ରାଜ୍ୟ ସରକାର ଶୀତଳଭଣ୍ଡାର ପ୍ରତିଷ୍ଠା କରିବା ଉପରେ ମଧ୍ୟ ଗୁରୁତ୍ଵ ଦେଉଛନ୍ତି । ଏଥିପାଇଁ ୨୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ଦ୍ଵାରା ରାଜ୍ୟର ୫୮ଟି ଉପଖଣ୍ଡରେ ଶୀତଳଭଣ୍ଡାର ଉପସ୍ଥାପନ ହୋଇପାରିବ। ସେହିପରି ମିଲେଟ୍ ଶ୍ରୀଅନ୍ନ ଯୋଜନାରେ ୧୭୭ଟି ବ୍ଲକକୁ ବର୍ଦ୍ଧିତ କରାଯାଇଛି । ମିଲେଟ ପାଇଁ ଏମ୍ଏସ୍ପି ୪୨୯୦ ଟଙ୍କା ବାଦ ଅଧିକ ୨ ଶହ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।