ଶତାଧିକ ବର୍ଷରୁ ଅନୁଷ୍ଠିତ ହୋଇଆସୁଥିବା ବୌଦ୍ଧ ଜିଲ୍ଲାର ପାରମ୍ପରିକ ଲୋକ ନାଟକ ରାମଲୀଳା ମହୋତ୍ସବ ଶନିବାର ଉଦଯାପିତ ହୋଇଯାଇଛି । ବୌଦ୍ଧ ଜିଲ୍ଲା ସଦର ମହକୁମାଠାରେ ଦୀର୍ଘ ଅଠର ଦିନ ଧରି ଚାଲିଥିବା ପାରମ୍ପରିକ ଲୋକ ନାଟକ ଖୋଲା ରଙ୍ଗମଞ୍ଚରେ ପାରମ୍ପରିକ ଶୈଳୀରେ ପରିବେଷଣ କରାଯାଇଥିଲା। ଏହି ନାଟକକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟବାହାରୁ ଦର୍ଶକ ଆସିଥିଲେ ଏବଂ ଲୋକ ନାଟକର ଭରପୁର ମଜା ଉଠାଇଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଦଶଟି ରାବଣ ସୁସଜ୍ଜିତ ରଥରେ ସହର ପରିକ୍ରମା କରିବା ପରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦ୍ବାରା ନିହତ ହୋଇଥିଲେ । ରାବଣ ବଧ ଯାତ୍ରା ପାଇଁ ସାରା ବୌଦ୍ଧ ସହର ଉତ୍ସବମୁଖର ହୋଇଉଠିଥିଲା । ରାତି ତମାମ ଜିଲ୍ଲା ଷ୍ଟାଡିୟମ, ବାଘଗୁଡା ଛକ, ଗାନ୍ଧି ଛକ, ବସଷ୍ଟାଣ୍ଡ ରାମଲୀଳା ମଇଦାନ ସମେତ ସହରର ପ୍ରମୁଖ ସ୍ଥାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହା ବ୍ୟତୀତ ବିଭିନ୍ନ ପ୍ରକାରର ଆତସବାଜି ମୁଖ୍ୟ ଆକର୍ଷଣ ପାଲଟିଥିଲା l ରାତ୍ରିର ଶେଷ ପ୍ରହରରେ ରାମ ରାବଣ ମଧ୍ୟରେ ହୋଇଥଲା ଅନ୍ତିମ ସମର l ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଅନ୍ୟାୟ,ଅତ୍ୟାଚାର, ଅନାଚlର, ଅଧର୍ମର ପ୍ରତୀକ ଦଶlନନକୁ ବଧ କରି ଧରାରେ ଧର୍ମ ସଂସ୍ଥାପନ କରିଥିଲେ l ମାତା ସୀତା,ଲକ୍ଷ୍ମଣ ଓ ସୁଗ୍ରୀବ ଆଦିଙ୍କ ସହ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ସେଠାରେ ସିଂହାସନରେ ଅଭିଷିକ୍ତ ହେବାପରେ ୧୮ ଦିନ ଧରି ଚାଲିଥିବା ବିଖ୍ୟାତ ରାମଲୀଳାର ପାରିସମପ୍ତି ଘଟିଥିଲା ।
ଅଧିକ ପଢନ୍ତୁ : ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ