ବଲାଙ୍ଗୀର: ପଥର ବ୍ଲାଷ୍ଟିଙ୍ଗବେଳେ ଚାଲିଗଲା ଶ୍ରମିକଙ୍କ ଜୀବନ । ଏଭଳି ଏକ ଅଘଟଣ ଘଟିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା କୁଶକେଲା ପଞ୍ଚାୟତ ଖଲିଆପଡା ଗାଁରେ । ମୃତକ ଜଣକ ହେଲେ ଚିତ୍ରସେନ ବଛା (୪୩) ।
ଚିତ୍ରସେନ ବଛା ଗାଁ ନିକଟରେ ଥିବା ପାହାଡ଼ରେ ପଥର ବ୍ଲାଷ୍ଟ କରୁଥିଲେ । ବ୍ଲାଷ୍ଟିଂବେଳେ ସେ ପଥର ତଳେ ଚାପି ହୋଇଯାଇଥିଲା । ଏ ନେଇ ଖବର ପାଇ ସିନ୍ଧେକେଲା ପୁଲିସକୁ ସୂଚନା ଦିଆଯାଇଥିଲା । ପୁଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିଛି । ପଥର ତଳୁ ମୃତ ଦେହକୁ ଉଦ୍ଧାର କରାଯାଇଛି । ସେଠାରେ ବେଆଇନ ଭାବେ ପଥର ବ୍ଲାଷ୍ଟିଂ ଚାଲିଥିଲା ନା ପ୍ରଶାସନର ଅନୁମତି ନିଆଯାଇଥିଲା ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।
ସେପଟେ ଚିତ୍ରସେନଙ୍କର ସ୍ତ୍ରୀ ଏବଂ ୪ଟି ପିଲା ଅଛନ୍ତି । ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।