ଭାରତୀୟ ରେଡକ୍ରସ ସୋସାଇଟିର ବୌଦ୍ଧ ଜିଲ୍ଲା ଶାଖା ତରଫରୁ ବିଶ୍ଵ ରେଡ୍ କ୍ରସ୍ ଦିବସ ଜିଲ୍ଳାପାଳଙ୍କ ସଭାଗୃହରେ ଆନୁଷ୍ଠାନିକ ଭାବରେ ପାଳିତ ହୋଇଯାଇଛି। ସାଧାରଣ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଥିବାରୁ ଚଳିତ ବର୍ଷ ସମସ୍ତ ଜନସାଧାରଣଙ୍କୁ ଏଥିରେ ସାମିଲ୍ କରାନଯାଇ କେବଳ ସରକାରୀ କର୍ମଚାରୀ ସଦସ୍ୟ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିଲା। ପ୍ରଥମେ ସମସ୍ତେ ରେଡକ୍ରସର ଜନକ ହେନେରୀ ଡୁନାଣ୍ଟଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଜିଲ୍ଲା ରେଡକ୍ରସର ସମ୍ପାଦକ ସୁଧର୍ମା ମଲିକ୍ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ମୁଖ୍ୟ ବକ୍ତାଭାବେ ଜିଲ୍ଲା ଯୁବ ରେଡ଼କ୍ରସର ସମ୍ପାଦକ ତଥା ଅଧ୍ୟାପକ ଡଃ ପ୍ରବୀର କୁମାର ଦାସ ଯୋଗଦେଇ ହେନେରୀ ଡୁନାଣ୍ଟ ଏବଂ ରେଡ୍ କ୍ରସର ଇହିହାସ ଉପରେ ଆଲୋକପାତ କରିବା ସହିତ ରେଡକ୍ରସ ସ୍ଵେଚ୍ଛାସେବୀ ମାନଙ୍କ ସେବା କାର୍ଯ୍ୟ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ।
ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ପୋଲିସ ଅଧ୍ୟକ୍ଷ ଏମ୍. ମିଞ୍ଜ ଯୋଗଦେଇ ସମସ୍ତଙ୍କୁ ମାନବିକତା ସହ ଦୁଃଖୀ ପୀଡିତଙ୍କ ସେବା କରିବାକୁ ଆହ୍ଵାନ ଦେଇଥିଲେ। ସମ୍ମାନିତ ବକ୍ତା ଭାବେ ଅତିରିକ୍ତ ଚିକିତ୍ସା ଅଧିକାରୀ ଡାକ୍ତର ହେମ୍ବ୍ରମ ସ୍ୱାସ୍ଥ୍ୟ ସେବା ଏବଂ ରକ୍ତଦାନ କ୍ଷେତ୍ରରେ ରେଡକ୍ରସର ଅବଦାନ ବିଷୟରେ କହିଥିଲେ। ରେଡକ୍ରସ ପାଇଁ ଅର୍ଥ ସଂଗ୍ରହ କ୍ଷେତ୍ରରେ ସର୍ବୋଚ ସ୍ଥାନ ଗ୍ରହଣ କରିଥିବା ଜିଲ୍ଲା ଆଇନ୍ ବିଭାଗ, ଅବକାରୀ ବିଭାଗ ଏବଂ ଜିଲ୍ଲା ଯୋଗାଣ ବିଭାଗଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।
ଅଜୀବନ ସଦସ୍ୟତା ଗ୍ରହଣ କରିଥିବା କିଛି କର୍ମଚାରୀ ମାନଙ୍କୁ ଜିଲ୍ଲା ରେଡକ୍ରସ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ସମସ୍ତଙ୍କୁ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ଅଧିକାରୀ ପ୍ରବୀର ଦାସ ସମସ୍ତଙ୍କୁ ରେଡକ୍ରସର ଶପଥ ପାଠ କରାଇଥିଲେ। ସର୍ବ ଶେଷରେ ଜିଲ୍ଲା ରେଡକ୍ରସ ଅଧିକାରୀ ସମସ୍ତଙ୍କୁ ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ।