ଆସନ୍ତା ମଇ ୨୫ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ହେବ ମତଦାନ । ଐତିହାସିକ ଭାବେ ସହରାଞ୍ଚଳରେ ଗ୍ରାମାଞ୍ଚଳ ଅପେକ୍ଷା ମତଦାନ ହାର କମ୍ ରହିଆସିଛି । ସେହି ଢାଞ୍ଚାକୁ ପରିବର୍ତ୍ତନ କରି ରାଜଧାନୀରେ ଯେପରି ସମସ୍ତ ନାଗରିକ ମତଦାନ କରିବେ ସେଥିପାଇଁ ମୁଖ୍ୟନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଛି ।
ସେହି ପ୍ରୟାସକୁ ସାକାର କରିବା ପାଇଁ ଆଗେଇ ଆସିଛି ଓମ୍ଫେଡ୍ । ବୁଧବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓମ୍ଫେଡ୍ ପକ୍ଷରୁ ଭୋଟରମାନଙ୍କୁ ମତଦାନ କରିବା ପାଇଁ ସଚେତନ କରାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ମତଦାନ ସଚେତନତା ବାର୍ତାଯୁକ୍ତ ଓମ୍ଫେଡ୍ କ୍ଷୀର ପ୍ୟାକେଟର ଉନ୍ମୋଚନା । ତେବେ ଏହି କ୍ଷୀର ପ୍ୟାକେଟର ଉନ୍ମୋଚନା କରିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।
ଓମ୍ଫେଡ୍ କ୍ଷୀର ପ୍ୟାକେଟ୍ରେ ଭୋଟର ସଚେତନତା ପାଇଁ ‘ମଇ ୨୫ ତାରିଖ ୨୦୨୪ ରେ ମତଦାନ ପାଇଁ ଭୁଲନ୍ତୁ ନାହିଁ’ ବାର୍ତ୍ତା ଉଲ୍ଲେଖ କରାଯାଇଅଛି । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଓମ୍ଫେଡ୍ ବୁଥ୍ରେ ଏହି ସଚେତନତା ବାର୍ତାଯୁକ୍ତ କ୍ଷୀର ପ୍ୟାକେଟ୍ ବିକ୍ରି ହେବ ଓ ଏହା ଦ୍ୱାରା ସମଗ୍ର ଜିଲ୍ଲାରେ ଭୋଟର ସଚେତନତା ସୃଷ୍ଟି ହୋଇପାରିବ ବୋଲି କୁହାଯାଇଛି ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓମ୍ଫେଡ୍ର ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ଗଣତନ୍ତ୍ରର ଏହି ମହାନ ପର୍ବରେ ଭୋଟର ସଚେତନତା ସୃଷ୍ଟି ପାଇଁ ଓମ୍ଫେଡ୍କୁ ସହଭାଗୀ ରୂପେ ସୁଯୋଗ ଦେଇଥିବାରୁ ଓମ୍ଫେଡ୍ ପରିବାର ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଥିଲେ ।
ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କ୍ଷୀର ପ୍ୟାକେଟ୍ ମାଧ୍ୟମରେ ଭୋଟର ସଚେତନତା ବାର୍ତା ପାଇଁ ଓମ୍ଫେଡ୍କୁ ସାଧୁବାଦ ଜଣାଇଥିଲେ। ନିଜର ମତ ରଖି ସେ କହିଥିଲେ ଯେ, ବିଗତ ନିର୍ବାଚନରେ ଜାତୀୟ ମତଦାନ ହାରଠାରୁ ଓଡିଶାର ମତଦାନ ହାର ଅଧିକ ରହିଥିଲା । ମାତ୍ର ଭୁବନେଶ୍ୱର ଅନ୍ତର୍ଗତ ତିନି ନିର୍ବାଚନ ମଣ୍ଡଳୀରେ ମତଦାନ ହାର ରାଜ୍ୟ ମତଦାନ ହାରଠାରୁ କମ୍ ରହିବା ସହିତ ୫୦ ପ୍ରତିଶତରୁ କମ୍ ରହିଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ସିଇଓ ଡକ୍ଟର ତିରୁମାଲା ନାୟକ, ଅତିରିକ୍ତ ସିଇଓ ସତ୍ୟଗୁଣା କର, ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଏବଂ ଓମ୍ଫେଡ୍ର ବରିଷ୍ଠ ଅଧିକାରୀଙ୍କ ସହିତ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ ।
ଅଧିକ ପଢନ୍ତୁ : ସୁପ୍ରିମକୋର୍ଟରେ ପହଞ୍ଚିଲା କୋଭିଶିଲ୍ଡ ମାମଲା