ଆଜି ଉତ୍କଳ ଗୌରବଙ୍କ ଜନ୍ମ ଦିବସ । କାଳିଆ ଘୋଡାରେ ଚଢ଼ିବି ,ମଧୁବାବୁ ସଙ୍ଗେ ଲଢ଼ିବି । ଏହି ଲୋକ କଥାଟି ପ୍ରତ୍ୟକ ଓଡ଼ିଆଙ୍କୁ ମଧୁବାବୁଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥାଏ । ଏକ ଉତ୍ତମ ଭବିଷ୍ୟତ ଗଢିବା ପାଇଁ ମଧୁବାବୁଙ୍କ ଆଦର୍ଶ ପ୍ରେରଣା ଦିଏ । ମଧୁବାବୁଙ୍କର ପିଲା ବେଳୁ ପାଠ ପଢିବା ପାଇଁ ଆଗ୍ରହ ତାଙ୍କୁ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ଯେଉଁ ପିଲାମାନଙ୍କର ପଢିବା ପାଇଁ ଆଗ୍ରହ ନଥାଏ ସେମାନଙ୍କୁ ମଧୁବାବୁଙ୍କ ଉଦାହରଣ ଦିଆଯାଏ ।
ଆଜି ସେହି ମହାନ ବ୍ୟକ୍ତି ନବ ଉତ୍କଳ ନିର୍ମାଣର ପ୍ରମୁଖ ବିନ୍ଧାଣୀ ମଧୁ ବାବୁଙ୍କ ଜନ୍ମ ଦିବସ । ସ୍ୱତନ୍ତ୍ର ଓଡିଶା ନିର୍ମାଣରେ ମଧୁ ବାବୁଙ୍କ ପ୍ରମୁଖ ଭୂମିକା ରହିଥିଲା । ଓଡ଼ିଶାର ପ୍ରଥମ ବାରିଷ୍ଟର ଭାବେ ସେ ଏକ ସୁନାମ ଅର୍ଜନ କରିଥିଲେ । ଦେଶ ବିଦେଶରେ ସେ ମଧୁ ବାରିଷ୍ଠର ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ୧୮୪୮ ମସିହା ଏପ୍ରିଲ୍ ୨୮ ତାରିଖରେ ପବିତ୍ର ଉତ୍କଳ ମାଟିର କଟକ ସତ୍ୟଭାମାପୁରରେ ସେ ଜନ୍ମ ଗ୍ରହଣ କରିଥିଲେ । ପାଠ ପଢିବା ପାଇଁ ପିଲାବେଳୁ ତାଙ୍କର ଏକ ସ୍ବପ୍ନ ଥିଲା । ଅନେକ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ସେ ପାଠ ପଢିଥିଲେ । ଆଉ ସମାଜରେ ଏକ ଆଦର୍ଶ ପାଲଟିଥିଲେ ।
ପିଲାମାନଙ୍କ ପାଠ୍ୟ ପୁସ୍ତକରେ ଥିବା 'ତୁମ ପରି ଛୋଟ ପିଲାଟିଏ' କବିତାଟି ମଧୁବାବୁଙ୍କ ପିଲାଦିନ , ଗାଁଚାଟଶାଳୀ, ଗାଁ ମାଟିର ପାଣି ପବନ ଓ ଦେଶ ଜାତିର ସୁରକ୍ଷା ନିମନ୍ତେ ଭଲକାମ କରିବାର ମହତ ପଣିଆକୁ ପ୍ରାଞ୍ଜଳ ଭାବରେ ଦର୍ଶାଯାଇଛି । ସେହି କବିତା ମାଧ୍ୟମରେ ପିଲାମାନେ ପାଠ ପଢିବା ପାଇଁ ଅନୁପ୍ରାଣିତ ହୋଇଥାନ୍ତି । ସେଥିପାଇଁ ତ କୁହାଯାଇଛି :-
“ପାଠ ପଢ଼ିବି ଓକିଲ ହେବି
ମଧୁବାବୁ ସଙ୍ଗେ ଲଢ଼ିବି।
ଜାତି ଡାକ ଶୁଣି ଛାତିଫୁଲେଇ ମୁଁ
କାଳିଆ ଘୋଡାରେ ଚଢ଼ିବି।”
ଖାଲି ସେତିକି ନୁହେଁ ଉତ୍କଳ ଗୌରବ ମଧୁସୂଦନ ଦାସ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ। ଏଥିସହ ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ବାରିଷ୍ଟର। ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଓ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ତାଙ୍କ ଜୀବନରେ ସେ ଅନେକ ମହାନ କାର୍ଯ୍ୟ କରିଛନ୍ତି । ଆଜି ତାଙ୍କର ଜନ୍ମ ଦିବସରେ ସାରା ଓଡିଶା ବାସୀ ତାଙ୍କୁ ମନେ ପକାଉଛନ୍ତି ।