ଅସହ୍ୟ ଖରାରେ ସିଝୁଛି ସାରା ଓଡିଶା । ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଅସହ୍ୟ ତାତି ଅନୁଭୂତ ହେଉଛି। ଆଜି ଦିନ ସାଢ଼େ ୨ଟା ସୁଦ୍ଧା ୪୪ ଡିଗ୍ରୀ ପାରଦ ଛୁଇଁଛି। ଏହା ସହିତ ୪୪ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି କେନ୍ଦୁଝର ୪୩ ଡିଗ୍ରୀ , ସମ୍ବଲପୁର ୪୨.୭, ରାଉରକେଲା ୪୨.୨, ହୀରାକୁଦ ୪୧.୮, ଚାନ୍ଦବାଲି ୪୦.୨, ଭୁବନେଶ୍ବର ୩୯.୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ମିଳିଛି ।
ଆଗାମୀ ମେ’୬ ରୁ ୮ ତାରିଖ ମଧ୍ୟରେ ଉତ୍ତର ଉପକୂଳ ଓଡିଶା-ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦ ରୁ ୫୦ କିମି ବେଗରେ ରହିବାର ସମ୍ଭାବନା ଥିବାରୁ ସାମୁଦ୍ରିକ ସ୍ତିତି ଅଶାନ୍ତରୁ ଅତ୍ୟଧିକ ଅଶାନ୍ତ ରହିବାର ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ପରିସ୍ଥିତିକୁ ନଜର ରେ ରଖି ୬ ରୁ ୮ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟସ୍ଥ ଉତ୍ତର-ଉପକୂଳ ଓଡ଼ିଶାର ଆଖ ପାଖ ଅଞ୍ଚଳକୁ ନ ଯିବାକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।