ଦିନକୁ ଦିନ ହାତୀମାନଙ୍କର ଦୌରାମ୍ୟ ବଢ଼ିବାରେ ଲାଗିଛି। କେତେବେଳେ ଘର ଭାଙ୍ଗି ଦେଉଛନ୍ତି ତା କେତେବେଳେ ନିରୀହ ଲୋକଙ୍କୁ ନିଜର ଶିକାର କରୁଛନ୍ତି। ସେହିଭଳି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଉତ୍ପାତ ଆରମ୍ଭ କରିଛି ଏକ ଦନ୍ତା। ରାତିରେ ଶୋଇବା ବେଳେ ଜଣଙ୍କର ଘର ଭାଙ୍ଗିବା ସହିତ ଘରେ ଭିତରେ ଧାନ ଏବଂ ବିଭିନ୍ନ ଘର କରନା ସାମଗ୍ରୀକୁ ନଷ୍ଟ କରିଦେଇଛି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ ଦନ୍ତା କରଞ୍ଜିଆ ବନଖଣ୍ଡର କୁଳିପୋଷି ଗାଁରେ ପଶି ନଗମା କାରୁଆଙ୍କ ଘର ଭାଙ୍ଗି ଦେଇଛି। ହାତୀଟି ଘର ଭାଙ୍ଗିବା ସହିତ ଧାନ, ଚାଉଳ ଖାଇ ଦେଇଛି। ଏପରିକି ଘର ଭିତରେ ଥିବା ସମସ୍ତ ଦରକାରୀ ଜିନିଷ ଏବଂ ବିଭିନ୍ନ ଆସବାବପତ୍ର ମଧ୍ୟ ନଷ୍ଟ ହୋଇଛି। ହାତୀ ଆକ୍ରମଣରେ ଘରଟି ନଷ୍ଟ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ନଗମା କାରୁଆ ଓ ତାଙ୍କ ପରିବାର ଲୋକେ। ତେବେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଂଚି ହାତୀକୁ ଆୟତ କରିବା ପାଇଁ ଚେଷ୍ଟା ଜାରି ରଖିଥିଲା। ତେଣୁ ହାତୀର ଏପରି ଉତ୍ପାତ ଯୋଗୁଁ ସମସ୍ତ ଗ୍ରାମବାସୀ ଖୁବ ଭୟଭୀତ ହୋଇପଡିଛନ୍ତି। ତେବେ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ।