ଅସହ୍ୟ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛନ୍ତି ସାରା ରାଜ୍ୟବାସୀ। ତାପମାତ୍ରା ଅନବରତ ବଢିବା ହେତୁ ସାରା ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତାପମାତ୍ରା ବଢିବା ହେତୁ ରାଜ୍ୟ ସରକାର ସମସ୍ତ ସ୍କୁଲ ଗୁଡିକ ବନ୍ଦ କରିଛନ୍ତି। କିନ୍ତୁ କାମାକ୍ଷାନଗରର ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଶିକ୍ଷାନୁଷ୍ଠାନ ( IGIT) ରେ ଚାଲିଛି ପାଠ ପଢା। ଯାହାକୁ ନେଇ କଲେଜ ବନ୍ଦ କରିବା ଦାବିରେ ଶତାଧିକ ଛାତ୍ର, ଛାତ୍ରୀ କଲେଜର ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇଛନ୍ତି।
ବର୍ତମାନ ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ଗରମ ଅନୁଭୂତ ହେଉଥିବା ବେଳେ ତୁରନ୍ତ କଲେଜ ବନ୍ଦ କରିବାକୁ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ ଛାତ୍ରଛାତ୍ରୀ। ମାତ୍ର କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁନଥିବାରୁ ଆଜି IGIT ର ଶତାଧିକ ଛାତ୍ରଛାତ୍ରୀ ପ୍ରବଳ ଖରାରେ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି। ଅପରପକ୍ଷେ ଏ ବିଷୟରେ କଲେଜ କର୍ତ୍ତୃପକ୍ଷ କୌଣସି ଅଭିଯୋଗ ଶୁଣୁନଥିବା କିମ୍ବା ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁ ନଥିବା ଯୋଗୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଫଳରେ ତୁରନ୍ତ କଲେଜ ବନ୍ଦ କରିବା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ଏପରିକି ଯଦି ସେମାନଙ୍କର ଦାବି କଲେଜ କତୃପକ୍ଷ ନ ଶୁଣନ୍ତି ତେବେ ସେମାନେ ଅସହ୍ୟ ତାତିରେ ଏହିପରି ଧାରଣାରେ ବସିରହିବେ।