ଡହଡହ ଖରାରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ପରିସ୍ଥିତି ଏମିତି ହେଲାଣି ଯେ,ସକାଳ ୮ଟା ପରେ ଘରୁ ବାହାରକୁ ବି ବାହାରିବା ମୁସ୍କିଲ ହୋଇଗଲାଣି। ପଶ୍ଚିମ ଓ ଉତ୍ତର ପଶ୍ଚିମ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱର ଓ କଟକରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ଟ୍ବିନ୍ ସିଟିକୁ ରେଡ୍ ଆଲର୍ଟ ଜାରି କରାଯାଇଛି।ତେବେ ଆସନ୍ତା ୪ ଦିନ ରାଜ୍ୟରେ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଆଜି ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧.୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୪୦. ୭ ଡିଗ୍ରୀ, ଚାନ୍ଦବାଲି ୪୦.୨ ଡିଗ୍ରୀ, କେନ୍ଦୁଝର ୪୦ ଡିଗ୍ରୀ, ଝାରସୁଗୁଡ଼ା ୩୯.୫ ଡିଗ୍ରୀ, ସମ୍ବଲପୁର ୩୯.୪ ଡିଗ୍ରୀ, ରାଉରକେଲା ୩୯.୪ ଡିଗ୍ରୀ, ହୀରାକୁଦ ୩୭.୮ ଡିଗ୍ରୀ, ପୁରୀ ୩୪.୨ ଡିଗ୍ରୀ, ଗୋପାଳପୁରରେ ୩୩.୫ଡିଗ୍ରୀ, ପାରାଦ୍ବୀପରେ ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।