ବଲାଙ୍ଗିର ଜଗନ୍ନାଥପଡ଼ାରେ ଆରମ୍ଭ ହେଲା ରାମଲୀଳା । ଖୁବ୍ ଉତ୍ସାହର ସହ କଳାକାରମାନେ ନୀତି ପରମ୍ପରା ଅବଲମ୍ବନ କରି ଗତ ରାତିରୁ ରାମଲୀଳା ଅଭିନୟ ଆରମ୍ଭ କରିଛନ୍ତି । ଆଗାମୀ ୨୧ ଦିନ ଧରି ରାମଜୀ ନାଟ୍ୟ ସଂସଦ ପଖ୍ୟରୁ ଜଗନ୍ନାଥପଡ଼ା ନାଟ୍ୟ ମଣ୍ଡପରେ ରାତି ୧୦ଟାରୁ ୧ଟା ପର୍ୟ୍ୟନ୍ତ ରାମଲୀଳା ମଂଚସ୍ଥ ହେବ ବୋଲି ସଭାପତି ବାସୁଦେବ ବେହେରା କହିଛନ୍ତି ।ସୂଚନା ଅନୁସାରେ ବଲାଙ୍ଗିର ଜଗନ୍ନାଥପଡ଼ାରେ ଦେଢ଼ଶହ ବର୍ଷ ରାମଲୀଳ ମଂଚସ୍ଥ ହୋଇ ଆସୁଥିବା ବେଳେ ବିଭିନ୍ନ କାରଣରୁ କିଛି ବର୍ଷ ଏହା ବନ୍ଦ ହୋଇଯାଇଥିଲା । କିନ୍ତୁ ନୂତନ କଳାକାରମାନଙ୍କ ଉତ୍ସାହ ଓ ବଲାଙ୍ଗିରବାସୀଙ୍କ ପ୍ରୋତ୍ସାହନରେ ଯୋଗୁଁ ଗତ ୩ ବର୍ଷ ହେଲା ପୁଣି ଆରମ୍ଭ ହୋଇଛି ଚିତ୍ତାକର୍ଷକ ରାମଲୀଳା । ପ୍ରତ୍ୟହ ଶହ ଶହ ଦର୍ଶକଙ୍କ ଭାବପ୍ରବଣ ସମାଗମରେ ରାମଲୀଳା ପ୍ରଦର୍ଶିତ ହେଉଛି । ଏବଂ ଏହି ରାମଲୀଳାରେ ବିଭିନ୍ନ ଭୂମିକାରେ ଅଭିନୟ କରୁଥିବା କଳାକାରମାନଙ୍କୁ ମେକ୍ଅପ୍ କରିଥାନ୍ତି ମେକ୍ଅପ୍ ଆର୍ଟିଷ୍ଟ ମନୋରଂଜନ ବେହେରା । ଦୀର୍ଘ ୩୦ ବର୍ଷ ହେଲା ମେକ୍ଅପ୍ ଦାୟତ୍ୱ ନିର୍ବାହ କରି ଆସୁଥିବା ମନୋରଂଜନଙ୍କ ମନରେ ଅପାମ ଉତ୍ସାହ ଦେଖିବାକୁ ମିଳିଛି । ତେବେ କଳାକାରମାନଙ୍କୁ ମେକ୍ଅପ୍ କରିବା ବେଳେ ରାମାୟଣର ଚରିତ୍ରମାନଙ୍କୁ ନେଇ ସେ ଭାବବିହ୍ୱଳ ହୋଇଉଠିଥିବା ବେଳେ ଆଧ୍ୟାତ୍ମିକତା ରସରେ ବୁଡ଼ି ଶ୍ରଦ୍ଧା ଓ ଭକ୍ତିର ସହ ସେ ନିଜର ମେକଅପ ଦାୟିତ୍ୱ ନିର୍ବାହ କରନ୍ତି ବୋଲି କହିଛନ୍ତି ।