ରବିବାର ଶ୍ରୀମନ୍ଦିର ଦୋଳବେଦୀ ପରିସରରେ ମେଣ୍ଢାପୋଡ଼ି ନୀତି ଅନୁଷ୍ଠିତ ହୋଇଯାଇଛି। ରବିବାର ସଂଧ୍ୟା ସମୟରେ ଏହି ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିବା ବେଳେ ଏହି ସ୍ଵତନ୍ତ୍ର ନୀତି ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଏହି ସମୟରେ ଶ୍ରୀମନ୍ଦିର ପରିଶ୍ର ବେଶ ଚଳଚଞ୍ଚଳ ହୋଇଉଠିଥିବା ବେଳେ ପୁରୀରେ ବାସ କରୁଥିବା ମାରଓ୍ୱାଡି ସମ୍ପ୍ରଦାୟ ମଧ୍ୟ ବେଶ ଧୁମଧାମରେ ପାଳନ କରିଛନ୍ତି ମେଣ୍ଢା ପୋଡି ଉତ୍ସବ।
ମେଣ୍ଢା ପୋଡି ଉତ୍ସବ ପୁରୀରେ ରହୁଥିବା ମାରୱାଡ଼ିଙ୍କ ଏକ ବଡ ପର୍ବ ହୋଇଥିବା ବେଳେ ସେମାନେ ଏହାକୁ ବେଶ ଧୁମଧାମରେ ପାଳନ କରିଥାନ୍ତି । ବିଶେଷ କରି ମାରୱାଡ଼ି ସମ୍ପ୍ରଦାୟର ନବ ବିବାହିତା ମହିଳାମାନେ ନିଜ ପରିବାରର ମଙ୍ଗଳ ପାଇଁ ଏହାକୁ ଏକ ବ୍ରତ ଭାବେ ପାଳନ କରନ୍ତି । ଏହି ନୀତି ଶେଷ ପରେ ମେଣ୍ଢା କୁଡିଆ ଚାରିପାଖ ବୁଲି ମେଣ୍ଢା କୁଡିଆରେ ଅଗ୍ନି ସଂଯୋଗ କରାଯିବା ସହ କାଠ ଘଷି ପକାଇଥାନ୍ତି ।
ପୌରାଣିକ ଉପାଖ୍ୟାନ ଅନୁସାରେ, ଏହି ସ୍ଵତନ୍ତ୍ର ନୀତି ପଛରେ ପ୍ରଭୁ ବିଷ୍ଣୁଙ୍କ ମହାନ ଭକ୍ତ ପ୍ରହଲ୍ଲାଦଙ୍କ କିମ୍ୱଦନ୍ତୀ ରହିଛି। ପ୍ରହଲ୍ଲାଦଙ୍କୁ ହତ୍ୟା କରିବା ପାଇଁ ତାଙ୍କ ପିତା ହିରଣ୍ୟକଶ୍ୟପ ଯୋଜନା କରିଥିଲେ। ହେଲେ ପ୍ରହଲ୍ଲାଦ ବିଷ୍ଣୁଙ୍କ ପରମ ଭକ୍ତ ହୋଇଥିବାରୁ ଏହି ଉଦ୍ୟମ ସଫଳ ହେଉନଥିଲା। ହିରଣ୍ୟର ଭଉଣୀ ହୋଲିକା ବରପ୍ରାପ୍ତ ହୋଇଥିଲା କି ତା ସହ ଅଗ୍ନି ସଂଯୋଗ ହେଲେ ସେ ଜଳିବ ନାହିଁ । ଏଣୁ ହୋଲିକା ଭାଇ ହିରଣ୍ୟକଶ୍ୟପଙ୍କ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ପ୍ରହଲ୍ଲାଦକୁ କୋଳରେ ଧରି ଅଗ୍ନିରେ ପ୍ରବେଶ କରିବା ପରେ କିନ୍ତୁ ଫଳ ଓଲଟା ହେଲା। ହୋଲିକା ଅଗ୍ନିରେ ଦଗ୍ଧ ହୋଇଯାଇଥିବା ବେଳେ ପ୍ରହଲ୍ଲାଦ ଅଗ୍ନିଙ୍କ ଜ୍ୱାଳା ଉପରେ ବିଜୟ ଲାଭ କରିଥିଲେ । ମେଷ ଅର୍ଥାତ ମେଣ୍ଢା ଅଗ୍ନିଙ୍କ ବାହନ ହୋଇଥିବାରୁ ଅଗ୍ନିଙ୍କ ଏହି ଭକ୍ତ ବତ୍ସଳତାକୁ ପ୍ରତିପାଦନ କରିବା ପାଇଁ ଶ୍ରୀମନ୍ଦିରରେ ମେଣ୍ଢାପୋଡ଼ି ନୀତି ହୁଏ ।
ଏହି ସ୍ୱତନ୍ତ୍ର ନୀତିରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ଶ୍ରୀଦେବୀ, ଭୂଦେବୀ ଓ ଦୋଳଗୋବିନ୍ଦଙ୍କୁ ଚାଚେରୀ ବେଶ କରାଯାଏ। ସେବକମାନେ ଲକ୍ଷ୍ମୀମନ୍ଦିରରେ ଥିବା ଖଟିଆ ଉପରେ ଠାକୁରଙ୍କୁ ବିରାଜମାନ କରାଇବା ପରେ ସେଠାରେ ଝିମିରି ଫଗୁ ଖେଳ ହୋଇ ଶୀତଳଭୋଗ ଓ ବନ୍ଦାପନା ନୀତି ସମାପନ ହୋଇଥାଏ। ଏହି ନୀତି ସରିବା ପରେ ଠାକୁର ବିମାନରେ ବିଜେ ହୋଇ ଦୋଳବେଦୀ କୋଣକୁ ଶୋଭାଯାତ୍ରାରେ ଯାଇଥାନ୍ତି ଏବଂ ସନ୍ଧ୍ୟା ବେଳେ ବିଭିନ୍ନ ନୀତି ଅନୁଷ୍ଠିତ ହେଇଥାଏ।
ଅଧିକ ପଢନ୍ତୁ: ଦିଲ୍ଲୀ କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ